ଓଡ଼ିଆରେ କପି କରି ଚାରି ପରୀକ୍ଷାର୍ଥୀ ଧରାପଡ଼ିଲେ
7/03/2019 at 9:11 PM

ଗଂଜାମ ୭/୩- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବାର୍ଷିକ ପରୀକ୍ଷା ଆଜି ଠାରୁ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାର ୧୭୪ଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଛି । ଆଜି ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର ମାତୃଭାଷା (ଓଡ଼ିଆ) ପରୀକ୍ଷା ଗଞ୍ଜାମ ସମେତ ୮ଟି ଜିଲ୍ଲାରେ ଶାନ୍ତି, ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ସମ୍ପନ୍ନ ହୋଇଛି ।
ତେବେ ଓଡ଼ିଆ ବିଷୟରେ କପି କରି ବିଭିନ୍ନ କେନ୍ଦ୍ରରେ ଆଜି ଚାରି ଜଣ ପରୀକ୍ଷାର୍ଥୀ ସ୍କ୍ୱାଡ ସଦସ୍ୟଙ୍କ ହାତରେ ଧରା ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁବଳୟାର ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୁଷୋତ୍ତମପୁର ତାରାତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ର କପି କରି ଧରା ପଡ଼ିଛନ୍ତି । ସି.ସି. ଟିଭି ସର୍ଭିଲେନ୍ସରେ ପରୀକ୍ଷା କେନ୍ଦ୍ର ସବୁ ରହିଥିବାରୁ ଏଥର କପି ସଂଖ୍ୟା ହ୍ରାସ ପାଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି ।