ପରିବା ମଣ୍ଡି ଅଞ୍ଚଳରେ ଭୁଶୁଡିଲା ଚାରି ମହଲା କୋଠା: ୨ ଶିଶୁଙ୍କ ମୃତ୍ୟୁ, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯ : ରାଜଧାନୀ ଦିଲ୍ଲୀର ପରିବା ମଣ୍ଡି ଅଞ୍ଚଳରେ ଚାରି ମହଲା କୋଠା ଭୁଶୁଡିବା ମାମଲା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଅନେକ ଲୋକ ହତାହତ ହୋଇଥିବା ଆଶଙ୍କା ରହିଛି। ସୂଚନା ପାଇ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦିଲ୍ଲୀ ପୋଲିସ ଅନୁଯାୟୀ, ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏବେ ସୁଦ୍ଧା ଭଙ୍ଗା କୋଠା ତଳୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ୩ ଜଣଙ୍କ ମଧ୍ୟରେ ଦୁଇ ଶିଶୁ ସାମିଲ ଅଛନ୍ତି। ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ଶିଶୁଙ୍କ ବୟସ ୭ ବର୍ଷ ଓ ୧୨ ବର୍ଷ। ଉଦ୍ଧାର କରାଯାଇଥିବା ଆଉ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ହୋଇଛି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀ ପୋଲିସର ଜଏଣ୍ଟ ସିପି ଏନଏସ ବୁନ୍ଦେଲା କହିଛନ୍ତି ଯେ, ଘଟଣାସ୍ଥଳରେ ପୋଲିସ, ଏମସିଡି ଓ ଏନଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। କୋଠାରେ ଫସି ରହିଥିବା ଲୋକଙ୍କ ବିଷୟରେ କିଛି ସୂଚନା ନାହିଁ। ପୋଲିସ ମାମଲାର ଯାଞ୍ଚ କରୁଛି। ସୂଚନା ଅନୁଯାୟୀ, ତଳେ ଦୋକାନ ଥିଲା ଓ ଉପର ମହଲାରେ ଲୋକେ ରହୁଥିଲେ. ଦୁର୍ଘଟଣା ଯୋଗୁଁ ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ଅନେକ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଉପସ୍ଥିତ ଅଛନ୍ତି। ଘଟଣାସ୍ଥଳରେ ଦମକଳ ଗାଡି ମଧ୍ୟ ରହିଛି।

ଦିଲ୍ଲୀ ପୋଲିସ ଅନୁଯାୟୀ, କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଯେତେବେଳେ ଦୁର୍ଘଟଣା ଘଟିଛି ସେତେବେଳେ ଭିତରେ ଅନେକ ଶ୍ରମିକ ଉପସ୍ଥିତ ଥିଲେ। କୋଠାର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅନେକ ପରିବାର ବାସ କରୁଛନ୍ତି। ଅପରପକ୍ଷରେ କୋଠାଟି ସଂକୀର୍ଣ୍ଣ ଗଳିରେ ଥିବା ଯୋଗୁଁ ଦମକଳ ବିଭାଗକୁ ଗାଡି ନେଇ ଯିବାକୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥିଲା। ମେସିନ ସାହାଯ୍ୟରେ ଉଦ୍ଧାରକାର୍ଯ୍ୟ କରାଯାଉଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଦିଲ୍ଲୀର ପରିବା ମଣ୍ଡି ଅଞ୍ଚଳରେ କୋଠା ଭୁଶୁଡିବା ଦୁଃଖଦ ଘଟଣା। ପ୍ରଶାସନ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଜିଲ୍ଲା ପ୍ରଶାସନ ମାଧ୍ୟମରେ ସେ ନିଜେ ସ୍ଥିତି ଉପରେ ନଜର ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.