କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ନେଇ ୪ ରାଜ୍ୟର ବଡ ନିଷ୍ପତ୍ତି : ପୁଣି ଲକଡାଉନ କଡାକଡି କରିବାକୁ ପ୍ରସ୍ତୁତି

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ ୧୨/୦୬ : ଦେଶରେ କାରଣ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି | ଗୁରୁବାର ଦିନ ପାଖାପାଖି ୧୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି | ଦେଶରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାଖାପାଖି ପହଞ୍ଚିଛି | ଅନଲକ-୧ ପରେ ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଅନୁମାନ କରାଯାଇଛି | ଏହିଭଳି ସ୍ଥିତିରେ ୪ଟି ରାଜ୍ୟ ପୁଣିଥରେ କଡା ପ୍ରତିବନ୍ଧକ ଲାଗୁ କରିବାକୁ ବ୍ୟବସ୍ଥା କରୁଛନ୍ତି | ଅପରପକ୍ଷରେ ଆଉ କିଛି ରାଜ୍ୟ ଲକଡାଉନ ସମ୍ପୂର୍ଣ କୋହଳ କରିବାକୁ ବିଚାର କରୁଛନ୍ତି | 

ପଞ୍ଜାବରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଆଶଙ୍କା କରିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପରେ | ୨ ମାସ ପରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି | ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦ୍ର ସିଂହଙ୍କ ସରକାର ପୁଣିଥରେ ପ୍ରତିବନ୍ଧକ ଲଗାଇଛନ୍ତି | ଉଇକେଣ୍ଡ ଓ ଛୁଟି ଦିନ ମାନଙ୍କରେ ଲକଡାଉନ କଡାକଡି କରିବାକୁ ଆଦେଶ ଦେଇଛନ୍ତି | ଏପରିକି ଦିଲ୍ଲୀରୁ ଆସୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର କଡା ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି | ମେଡିକାଲ ଷ୍ଟାଫ ଏବଂ ଆବଶ୍ୟକ ସେବା ଛଡା ସମସ୍ତ ନାଗରିକଙ୍କୁ କରୋନା ଭାଇରସ ଆଲର୍ଟ ଆପ ଦ୍ୱାରା ଇ-ପାସ ଡାଉନଲୋଡ଼ କରିବା ଅନିବାର୍ଯ୍ୟ |

ତାମିଲନାଡୁରେ ମଧ୍ୟ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି | ଏହିଭଳି ପରିସ୍ଥିତିରେ ମାଡ୍ରାସ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କେବଳ ଚେନ୍ନାଇକୁ ଲକଡାଉନ କରିବାକୁ ପରାମର୍ଶ କରିଛନ୍ତି | ବିଚାରପତି ବିନୀତ କଠୋରୀ ଏବଂ ବିଚାରପତି ସୁରେଶ କୁମାର କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣକୁ କାବୁ କରିବା ପାଇଁ ତାମିଲନାଡୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ସତ୍ତ୍ୱେ ମହାନଗର ଓ ମହାନଗର ବାହାର ଅଞ୍ଚଳରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି | ଫଳରେ ପରିସ୍ଥିତି ଚିନ୍ତାଜନକ ହୋଇଛି | ତାମିଲନାଡୁରେ ୨୫ ହଜାରରୁ ଅଧିକ ମାମଲା ରହିଛି ଯେଉଁଥିରୁ ୭୦ ପ୍ରତିଶତ ରୋଗୀ କେବଳ ଚେନ୍ନାଇର | 

କେରଳ ସରକାର ଚଳିତ ମାସରେ ଭଗବାନ ଅୟାପ୍ପା ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ବର୍ତ୍ତମାନ ସେ ଏହି ନିଷ୍ପତ୍ତି ବଦଳାଇ ଦେଇଛନ୍ତି | ମନ୍ଦିର ନ ଖୋଲିବାକୁ ନିର୍ଣୟ ନେଇଛନ୍ତି | ଦେଶରେ କରୋନାର ପ୍ରଥମ ମାମଲା କେରଳରୁ ସାମ୍ନାକୁ ଆସିଥିଲା | ଗତ ମାସରେ କେରଳରେ ସଂକ୍ରମଣ ମାମଲା ହ୍ରାସ ପାଇଥିଲା | କିନ୍ତୁ ପରେ ପ୍ରବାସୀ ଶ୍ରମିକ ଫେରିବା ପରେ ରାଜ୍ୟରେ ସଂକ୍ରମଣ ମାମଲା ପୁଣି ବୃଦ୍ଧି ପାଇଥିଲା | ଏବେ ସୁଦ୍ଧା ରାଜ୍ୟରେ ମୋଟ ୧୨୮୩ ମାମଲା ସାମ୍ନାକୁ ଆସିଛି | ରାଜ୍ୟରେ ଏବେ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ହୋଇଛି |

ଝାରଖଣ୍ଡରେ କଂଗ୍ରେସର ଶିବୁ ସୋରେନ ସରକାର ଲକଡାଉନ ନିୟମ କଡାକଡି କରିବାକୁ ଆଦେଶ ଦେଇଛନ୍ତି | ଝାରଖଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ନୂଆ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୧୫୯୯ ରେ ପହଞ୍ଚିଛି | ଏବେ ସୁଦ୍ଧା ରାଜ୍ୟରେ ୧୫୯୯ ସଂକ୍ରମିତଙ୍କ ମଧ୍ୟରୁ ୧୩୧୧ ପ୍ରବାସୀ ଶ୍ରମିକ ରହିଛନ୍ତି ଏବଂ ଦେଶର ବିଭିନ୍ନ ଅଞ୍ଚଳରୁ ରାଜ୍ୟକୁ ଫେରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.