ଅନ୍ୟ ଧର୍ମର ଯୁବତୀଙ୍କ ସହ ବସ୍‌ରେ ଯାତ୍ରା କରିବା ପଡ଼ିଲା ମହଙ୍ଗା, ଯୁବକଙ୍କୁ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ

Published By : Prameya-News7 Bureau | April 03, 2021 IST

ମେଙ୍ଗାଲୁରୁ, ୦୩/୦୪: ବସ୍‌ରେ ଅନ୍ୟ ଧର୍ମର ଝିଅ ସହ ଯାତ୍ରା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତାଙ୍କୁ ଅମାନବିକ ଭାବେ ମାଡ଼ ମରାଯାଇଛି ଏବଂ ତାଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଛି । ଏହି ମାମଲାରେ ପୋଲିସ୍‌ ୪ ଜଣ ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମେଙ୍ଗାଲୁରୁ ରୁ ବେଙ୍ଗାଲୁରୁ ଯାଉଥିବା ଏକ ବସ୍‌ରେ ଏହି ଘଟଣା ଘଟିଛି । ପୀଡ଼ିତ ଯୁବକ ଏବଂ ଯୁବତୀ ଏପ୍ରିଲ୍‌ ୧ ତାରିଖରେ ଏହି ବସ୍‌ରେ ଯାତ୍ରା କରୁଥିଲେ । ପାଖାପାଖି ରାତି ୯ଟା ସମୟରେ ବସ୍‌ଟିକୁ କିଛି ଲୋକ ଅଟକାଇ ଥିଲେ ଏବଂ ଏହି ଯୁବକ-ଯୁବତୀଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ । ପରେ ଯୁବକକୁ ଅଚାନକ ଆକ୍ରମଣ କରିବା ସହିତ ମାଡ଼ ମାରିଥିଲେ । ଏହା ଦେଖି ଯୁବତୀ ଜଣକ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରାଯାଇଛି ।

ପୋଲିସ୍‌ର କହିବା ମୁତାବକ, ୪ଜଣ ଲୋକ ଗାଡ଼ିରେ ଆସି ବସ୍‌କୁ ଅଟକାଇଥିଲେ । ଯୁବକଙ୍କୁ ମାଡ଼ ମାରିବା ସହିତ ପଛପଟୁ ଛୁରୀରେ ଆକ୍ରମଣ କରିଥିଲେ । ଦୁଇଜଣ ଯାକ ଗୋଟିଏ ଶ୍ରେଣୀର ହୋଇଥିବା ପୋଲିସ୍‌ କହିଥିବା ବେଳେ ଦୁହେଁ ଦୁହିଁକୁ ବହୁତ ଆଗରୁ ଜାଣିଛନ୍ତି । ଘଟଣା ଦିନ ଯୁବତୀ ବେଙ୍ଗାଲୁରୁ ଆସୁଥିବାରୁ ତାଙ୍କୁ ଛାଡ଼ିବା ପାଇଁ ଏହି ଯୁବକ ଆସୁଥିଲେ ।  

ତେବେ ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରକେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ପୋଲିସ୍‌ ଜଣାଇଛି । ଏହି ମାମଲାରେ ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ୪ ଜଣଙ୍କୁ ଗିରଫ‌ କରିଛି । ଅପରାଧୀଙ୍କ ବିରୋଧରେ ହତ୍ୟା ଉଦ୍ୟମ କରିବା ନେଇ ମାମଲା ରୁଜୁ କରାଥିବା ପୋଲିସ୍‌ ଅଧୀକ୍ଷକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.