ପାକିସ୍ତାନରେ କରୋନାକୁ ନେଇ ଲୋକଙ୍କର ଟିକେ ବି ଚିନ୍ତା ନାହିଁ, ସଂକ୍ରମିତଙ୍କ ସହ ସେଲଫି ନେଉଛନ୍ତି ଅଫିସର
23/03/2020 at 5:31 PM

କରାଚୀ: କରୋନା ସଂକ୍ରମଣ ଯୋଗୁ ପାକିସ୍ତାନରେ ପରିସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗିଛି। ଦେଶର ଆର୍ଥିକ, ସାମାଜିକ ଓ ରାଜନୈତିକ ପରିସ୍ଥିତି ଲାଗି ସରକାର ଏଥିଲାଗି ଯେପରି ପଦକ୍ଷେପ ନେବା କଥା ନେଉ ନଥିବା ବେଳେ ଲୋକେ ବି ଭୂତାଣୁ ସଂକ୍ରମଣ ନେଇ ସଚେତନ ନାହାନ୍ତି। ଏହି କ୍ରମରେ ରାଜସ୍ୱ ବିଭାଗର ଜନୈକ କରୋନା ପଜେଟିଭ କର୍ମଚାରୀଙ୍କ ସହ ସେଲଫି ନେଇ ୬ ଅଧିକାରୀ ନିଲମ୍ବିତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଖୈରପୁର ଜିଲ୍ଲା ଉପାୟୁକ୍ତ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ରାଜସ୍ୱ ବିଭାଗର ଜନୈକ କର୍ମଚାରୀ ନିକଟରେ ଇରାନରୁ ତୀର୍ଥଯାତ୍ରା କରି ଫେରିଥିଲେ। ସେଠାରେ କରୋନା ସଂକ୍ରାମକ ରୂପ ଧାରଣ କରିଥିବା ବେଳେ କର୍ମଚାରୀଜଣକ ଫେରିବା ପରେ ସାଥୀ ଅଧିକାରୀମାନେ ତାଙ୍କ ସହ ସେଲଫି ନେଇ ଏବେ ନିଲମ୍ବିତ ହୋଇଛନ୍ତି।

ଇରାନରୁ ଫେରିବା ପରେ ବ୍ୟକ୍ତିଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା। ସେତେବେଳେ ତାଙ୍କ ସହ ସାଥୀ ଅଧିକାରୀମାନେ ଏହି ସେଲଫି ନେଇଥିଲେ। ତେବେ ନିକଟରେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିବା ବେଳେ ରିପୋର୍ଟ ପଜେଟିଭ ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ କେହି ଜଣେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି। ଘଟଣା ଜଣାପଡିବା ପରେ କମିଶନର ଇରାନ ଫେରନ୍ତାଙ୍କ ସହ ଫଟୋ ଉଠାଇଥିବା ରାଜସ୍ୱ ବିଭାଗର ୬ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି।

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ୭୫୦ରେ ପହଞ୍ଚିଛି। ଉପୁଜିଥିବା ପରିସ୍ଥିତିରେ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ୍ ଦେଶବାସୀଙ୍କୁ ସମ୍ବୋଧିତ କରି ପାକିସ୍ତାନ ଲକଡାଉନ ଭଳି ନିଷ୍ପତ୍ତି ନେଇପାରିବନି ବୋଲି କହିଛନ୍ତି। କାରଣ ଦେଶର ଅଧିକାଂଶ ନାଗରିକ ଗରିବ ସୀମାରେଖା ତଳେ। ଏଭଳି ପଦକ୍ଷେପ ନେଲେ ସେମାନଙ୍କ ଲାଗି ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ତେବେ ଲୋକଙ୍କୁ ନିଜ ଅନୁସାରେ ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କରିଛନ୍ତି।