୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡରେ ସାମ୍ନାକୁ ଆସିଲା ୪ ନୂଆ କରୋନା ମାମଲା, ବନ୍ଦ ହେଲା ସବୁଠାରୁ ବଡ ସହର: କରୋନା ମୁକ୍ତ ହେବାପରେ ପ୍ରଧାନମନ୍ତ୍ରୀ ଯାଇଥିଲେ ରାଧାକୃଷ୍ଣ ମନ୍ଦିର

Published By : Prameya-News7 Bureau | August 11, 2020 IST

ଅକଲ୍ୟାଣ୍ଡ ୧୧/୦୮ : ନ୍ୟୁଜିଲ୍ୟାଣ୍ଡରେ ୧୦୨ ଦିନ ପରେ ପୁଣି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ଦେଶର ସବୁଠାରୁ ବଡ ସହର ଅକଲ୍ୟାଣ୍ଡରେ କରୋନା ସଂକ୍ରମଣର ୪ଟି ନୂଆ ମାମଲା ସାମ୍ନାକୁ ଆସିଛି | ନୂଆ ମାମଲା ସାମ୍ନାକୁ ଆସିବା ପରେ ପୁରା ସହରକୁ ବନ୍ଦ କରିଦିଆଯାଇଛି | ନ୍ୟୁଜିଲ୍ୟାଣ୍ଡରେ ଗତ ୧୦୨ ଦିନରେ କରୋନାର ଗୋଟିଏ ହେଲେ ମାମଲା ସାମ୍ନାକୁ ଆସିନଥିଲା | ନ୍ୟୁଜିଲ୍ୟାଣ୍ଡ ବହୁତ ଭଲ ଭାବେ କରୋନା ଲଢେଇରେ ବିଜୟ ହାସଲ କରିଥିଲା | ସେଥିପାଇଁ ପୁରା ଦୁନିଆରେ ନ୍ୟୁଜିଲ୍ୟାଣ୍ଡକୁ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଉଛି |


ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ଏସଲେ ବ୍ଲୁମଫିଲଡ କହିଛନ୍ତି, ଦକ୍ଷିଣ ଅକଲ୍ୟାଣ୍ଡରେ ଗୋଟିଏ ପରିବାରରେ କରୋନା ସଂକ୍ରମଣ ମାମଲା ସ୍ପଷ୍ଟ ହୋଇଛି | ଏମାନଙ୍କ ମଧ୍ୟରୁ ଜଣକର ବୟସ ୫୦ ବର୍ଷରୁ ଅଧିକ | ଏହି ୪ଜଣଙ୍କର କୌଣସି ଅନ୍ତରାଷ୍ଟ୍ରୀୟ ଯାତ୍ରା ଇତିହାସ ମଧ୍ୟ ନାହିଁ | ପରିବାର ସଦସ୍ୟଙ୍କ କରୋନା ଯାଞ୍ଚ କରାଯାଇଛି ଏବଂ ଏମାନେ କିଭଳି କରୋନାର ଶିକାର ହୋଇଛନ୍ତି ତାହା ପତା କରାଯାଉଛି |


ଏହି ଖବର ପରେ ପୁରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଖବର ସାମ୍ନାକୁ ଆସିବା ପରେ ଲକଡାଉନ ଆଶଙ୍କାରେ ଲୋକେ ସୁପର ମାର୍କେଟ ଆଡକୁ ଦୌଡ଼ିଥିଲେ ଯେପରିକି ଆବଶ୍ୟକୀୟ ସାମଗ୍ରୀ ମହଜୂତ ରଖିପାରିବେ |

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡନ କହିଛନ୍ତି, ଅକଲ୍ୟାଣ୍ଡରେ ବୁଧବାର ଅପରାହ୍ନରୁ ତ୍ରିସ୍ଥରୀୟ ପ୍ରତିବନ୍ଧ ଲଗାଯିବ | ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ | ଏହି ପ୍ରତିବନ୍ଧର ଅର୍ଥ ହେଲା ଲୋକଙ୍କୁ କାର୍ଯ୍ୟାଳୟ ଓ ସ୍କୁଲରୁ ଦୁରେଇ ରଖାଯିବ | କୌଣସି ଜାଗାରେ ଭିଡ ହେବନାହିଁ | ୧୦ ରୁ ଅଧିକ ଲୋକ କେଉଁଠାରେ ଏକତ୍ରିତ ହୋଇପାରିବେ ନାହିଁ | ଏହି ପ୍ରତିବନ୍ଧ ୩ ଦିନ ପାଇଁ ଅର୍ଥାତ ଶୁକ୍ରବାର ଯାଏଁ ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ପରିସ୍ଥିତିକୁ ସଠିକ ଭାବେ ମୂଲ୍ୟାଙ୍କନ କରିବାକୁ ୩ ଦିନ ସମୟ ପର୍ଯ୍ୟାପ୍ତ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.