ପଶ୍ଚିମବଙ୍ଗ ନିର୍ବାଚନ : ଭୋଟିଂ ବେଳେ ବୁଥ୍ ବାହାରେ ହିଂସାକାଣ୍ଡ, ଯବାନଙ୍କ ଗୁଳିରେ ୪ ମୃତ

Published By : Prameya-News7 Bureau | April 10, 2021 IST

କୋଲକାତା,୧୦/୦୪:  ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି । ଏହା ମଧ୍ୟରେ କୁଚବିହାରର ସିତାଲକୁଚିରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଛି ।  ଏଥିରେ ୪ଜଣ ପ୍ରାଣ ହରାଇଥିବା ଜଣାପଡିଛି ।

ସ୍ଥାନୀୟ ପୋଲିସ ଦାବି କରିଛି ଯେ, କେନ୍ଦ୍ରୀୟ ଫୋର୍ସ ତରଫରୁ ଫାୟାରିଂ ହୋଇଥିଲା । ଏଥିରେ କୁଚବିହାରର ୪ ଜଣ ପ୍ରାଣ ହରାଇଛନ୍ତି । ସକାଳ ୧୦ଟାରେ ଏହି ଘଟଣା ଘଟିଥିଲା । ଏହା ସେତେବେଳେ ଘଟିଥିବା ଯେତେବେଳେ ମତଦାନ କେନ୍ଦ୍ର ନିକଟରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ କିଛି ଉପଦ୍ରବୀ ଆକ୍ରମଣ କରିଥିଲେ ।

କୁହାଯାଉଛି ଯେ, ଉପଦ୍ରବକାରୀମାନେ ଯବାନଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ୫ ରାଉଣ଼୍ଡ ଗୁଳି ଚଳାଇଥିଲେ । ଏଥିରେ ୪ଜଣଙ୍କ ଜୀବନ ଯାଇଛି । ଟିଏମସି ଦାବି କରିଛି ଯେ, ବୁଥ ନମ୍ବର ୫-୧୨୬ରେ ଘଟିଥିବା ଗୁଳିକାଣ୍ଡରେ ହମିଦୁଲ ହକ, ମନିରୁଲ୍ ହକମ୍ ସମିୟୁଲ ଓ ଅଜମଦ ହୁସେନଙ୍କ ମୃତ୍ୟୁ ଘଟିଛି । ନିର୍ବାଚନ ଆୟୋଗ ଘଟଣାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ୧ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଛନ୍ତି ।

ଶନିବାର ସକାଳେ ମତଦାନ ଆରମ୍ଭ ହେବା ମାତ୍ରେ ଅନେକ ସ୍ଥାନରେ ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ ହୋଇଥିଲେ । ହୁଗଳୀ ବିଧାନସଭାର ବିଜେପି ପ୍ରାର୍ଥୀ ଲଙ୍କେଟ୍ ଚାଟାର୍ଜୀଙ୍କ କାରକୁ ଭଙ୍ଗାରୁଜା କରାଯାଇଥିଲା । ଏନେଇ ସେ ଟିଏମସିକୁ ଦୋଷ ଦେଇଛନ୍ତି । ଏପରିକି କିଛି ଗଣମାଧ୍ୟମ ଗାଡିକୁ ମଧ୍ୟ ସେଠାରେ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.