ଋଷରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ଭୋଲଗା ନଦୀରେ ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ବୁଡିଗଲେ

Published By : Prameya-News7 Bureau | August 11, 2020 IST

ଚେନ୍ନାଇ, ୧୧|୦୮   ପୁଅକୁ କେତେ ଆଶାରେ ଋଷ ପଠାଇଥିଲେ ପିତା । ପୁଅ ପାଠ ପଢିବ, ଡାକ୍ତର ହେବ । କିନ୍ତୁ ସବୁ ସ୍ୱପ୍ନ ପାଣି ଫୋଟକା ଭଳି ମିଳେଇଗଲା । ବାପା ଯେତେବେଳେ ଜାଣିଲେ ପୁଅ ନଦୀରେ ବୁଡି ପ୍ରାଣ ହରାଇଛି ସତେ ଯେପରି ପାଦ ତଳୁ ମାଟି ଖସିଗଲା । ତାମିଲନାଡୁରେ ରହୁଥିବା ମହମ୍ମଦ ରଫିଙ୍କ ପୁତ୍ର ମହମ୍ମଦ ଆଶିକ୍ ଋଷର ଭୋଲଗା ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ଆଶିକଙ୍କ ସହ ଅନ୍ୟ ୩ ଜଣ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ରଫି କହିଛନ୍ତି ଯେ, ଆଶିକ ନିଜର କିଛି ବନ୍ଧୁଙ୍କ ସହ ମିଶି ନଦୀକୁ ଯାଇଥିଲେ । କିନ୍ତୁ ସେଠାରେ ସେ ବୁଡି ପ୍ରାଣ ହରାଇଥିଲେ । ତେବେ ମୃତଦେହ ଫେରାଇ ଆଣିବାକୁ ରଫି ସରକାରଙ୍କୁ ଅନୁରୋଧ କରିଛନ୍ତି । ରଫିଙ୍କ ସହ ତାମିଲନାଡୁର ଆଉ ୪ଜଣ ଛାତ୍ର ମଧ୍ୟ ରବିବାର ନଦୀରେ ବୁଡି ପ୍ରାଣ ହାରଇଛନ୍ତି । ସେମାନଙ୍କ ପରିବାର ଲୋକେ ମଧ୍ୟ ମୃତଦେହ ଫେରାଇ ଆଣିବାକୁ ଦାବି କରିଛନ୍ତି । ଆଶିକଙ୍କ ବ୍ୟତୀତ ପ୍ରାଣ ହରାଇଥିବା ଅନ୍ୟ ଛାତ୍ର ହେଲେ ମନୋଜ ଆନନ୍ଦ, ଆର ବିଘ୍ନେଶ ଏବଂ ଷ୍ଟିଫେନ୍ ଲେବାକୁ । ସେମାନେ ଭୋଲଗୋଗ୍ରେଡ୍ ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରେ ପାଠ ପଢୁଥିଲେ ।

ମନୋଜ, ବିଘ୍ନେଶ ଓ ଆଶିକଙ୍କ ବୟସ ୨୨ ହୋଇଥିବା ବେଳେ ଷ୍ଟିଫେନ ୨୦ ବର୍ଷର ଅଟନ୍ତି । ସୂଚନାଯୋଗ୍ୟ, ନଦୀକୁ ୧୧ଜଣ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ନଦୀରେ ବୁଡି ଯାଇଥିଲେ । ଅନ୍ୟମାନେ ତାଙ୍କୁ ସାହାଯ୍ୟ କରିବାକୁ ଯିବା ବେଳେ ୪ଜଣ ବୁଡି ପ୍ରାଣ ହରାଇଥିଲେ । ତେବେ ମୃତକଙ୍କ ପରିବାର ଲୋକେ ମୃତଦେହ ଫେରାଇ ଆଣିବା ସହ ଅନ୍ତେଷ୍ଟିକ୍ରିୟା କରିବାକୁ ଚାହୁଁଛନ୍ତି । ମୃତଦେହ ଫେରାଇ ଆଣିବାକୁ ସେମାନେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲ୍ଲାନିସ୍ୱାମୀଙ୍କୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.