୪.୦ ତୀବ୍ରତାର ଭୂମିକମ୍ପ ଝଟ୍କା, ପୁଣି ଥରିଲା ଜାମ୍ମୁକାଶ୍ମୀର
30/06/2020 at 10:14 AM

ଶ୍ରୀନଗର ୩୦।୬: ଜାମ୍ମୁକାଶ୍ମୀରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିମ୍ପର ତୀବ୍ରତା ୪.୦ ରହିଛି । ସକାଳ ୮ଟା ୫୯ ମିନିଟ୍ ରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା । କାଟ୍ରାଠାରୁ ୮୪ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ଜଣାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ବାରା ଏହି ସୂଚନା ପ୍ରଦାନ କରାଯାଇଛି ।
ଏହାପୂର୍ବରୁ ୧୪ରୁ ୧୬ ଜୁନ୍ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କେହି ମୃତାହତ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ମିଳିନାହିଁ । ଜୁନ୍ ୧୬ ତାରିଖରେ ହୋଇଥିବା ଭୂକମ୍ପର କେନ୍ଦ୍ର ମଧ୍ୟ କାଟ୍ରା ଠାରୁ ୮୫ କିଲୋମିଟର ପୂର୍ବରେ ଥିଲା ଏବଂ ତୀବ୍ରତା ୩.୯ରେ ମାପ କରାଯାଇଥିଲା ।
ଜୁନ୍ ୧୬ ତାରିଖ ସକାଳ ୭ଟାରେ ମଧ୍ୟମ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ତୀବ୍ରତା ୫.୮ ଥିଲା । ଅଧିକାରୀମାନେ କହିଥିଲେ ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନ ଅଞ୍ଚଳରେ ଏବଂ ଏହାର ଗଭୀରତା ପୃଥିବୀ ପୃଷ୍ଠରେ ୧୦୦ କିଲୋମିଟର ଥିଲା ।
ଭୂମିକମ୍ପକୁ ଦୃଷ୍ଟିରୁ କାଶ୍ମୀର ଏପରି ଏକ ଅଞ୍ଚଳରେ ଅବସ୍ଥିତ ଯେଉଁଠାରେ ଭୂକମ୍ପ ହେବାର ବହୁତ ସମ୍ଭାବନା ରହିଛି । ପୂର୍ବରୁ ମଧ୍ୟ କାଶ୍ମୀରରେ ଅନେକ ଥର ଭୂକମ୍ପ ହୋଇଛି । ୨୦୦୫ ଅକ୍ଟୋବର ୮ରେ ରିକ୍ଟର ସ୍କେଲରେ ୭.୬ ତୀବ୍ରତାର ଭୂକମ୍ପ ଜାମ୍ମୁକାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ର ଉଭୟ ପାର୍ଶ୍ବରୁ ୮୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।