ବନ୍ଦ କୋଠରୀରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲା ୪ ଜଣଙ୍କ ମୃତଦେହ, ପୁରା ପରିବାରକୁ ଶେଷ କରି ସ୍ୱାମୀ ଫେରାର

Published By : Prameya-News7 Bureau | April 13, 2021 IST

ଜାମସେଦପୁର,୧୩/୦୪: ସ୍ତ୍ରୀ ସହ ନିଜର ୨ ସନ୍ତାନଙ୍କୁ ମାରିଦେଲା ସ୍ୱାମୀ । ଘରେ ହିଁ ସମସ୍ତଙ୍କୁ ହତ୍ୟା କରି ବାଇକରେ ହୋଇଗଲା ଫେରାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜାମସେଦପୁରରେ । ଏଠାରେ ଦୀପକ କୁମାର ନାମକ ଜଣେ ବ୍ୟକ୍ତି ଏହି ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଯାଇଛି ।

ସୂଚନାନୁସାରେ, କଦମା ସ୍ଥିତ ୯୭ ନମ୍ବର କ୍ୱାର୍ଟରରେ ରହୁଥିବା ଦୀପକ ସୋମବାର ଦ୍ୱିପହରରେ ଏହି ଜଘନ୍ୟ କାଣ୍ଡ ଘଟାଇଛି । ଅଫିସରୁ ଆସିବା ପରେ ସେ ହଠାତ ନିଜ ସ୍ତ୍ରୀ ଓ ୨ ସନ୍ତାନଙ୍କ ସମେତ ପାଠ ପଢାଇବାକୁ ଆସିଥିବା ଟ୍ୟୁସନ ଶିକ୍ଷୟିତ୍ରୀଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ଭିଆଇବା ପରେ ସେ ତାର ଜଣେ ସାଙ୍ଗ ଓ ପତ୍ନୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଦୀପକ କାହିଁକି ଟ୍ୟୁସନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ ।

ଖବର ପାଇ ପୋଲିସ ପହଁଚି ଘରର କବାଟ ଭାଙ୍କି ଭିତରକୁ ପସିଥିଲା । ଗୋଟିଏ କୋଠରୀରେ ସମସ୍ତ ମୃତଦେହ ପଡିଥିବା ପୋଲିସ ଦେଖିଥିଲା । କୋଠରୀର ବାହାରୁ ପଟୁ ତାଲା ଦିଆଯାଇଥିଲା । ତେବେ ଶିକ୍ଷୟିତ୍ରୀଙ୍କ ମୃତଦେହ ଏକ ବାକ୍ସ ମଧ୍ୟରେ ରଖାଯାଇଥିଲା ।

ପରିବାର ଲୋକଙ୍କ କହିବାନୁସାରେ, ଶିକ୍ଷୟିତ୍ରୀ ରିଙ୍କି ସକାଳ ୧୧ଟାରେ ପଢାଇବାକୁ ଦୀପକଙ୍କ ଘରକୁ ଆସନ୍ତି । କିନ୍ତୁ ସାଢେ ୧୨ ଯାଏଁ ସେ ନିଜ ଘରକୁ ଫେରିନଥିଲେ । ଏହାପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ରିଙ୍କି ଗତ ୨ ବର୍ଷ ଧରି ଦୀପକଙ୍କ ସନ୍ତାନକୁ ପଢାଉଥିଲେ । ଦୀପକଙ୍କ ଶାଳକ କହିଛନ୍ତି ଯେ, ଦୀପକ ତାଙ୍କ ଘରକୁ ଯାଇ ଟଙ୍କା ଓ ଗହଣା ମାଗିଥିଲେ । ଘର ରେଜିଷ୍ଟ୍ରି ଥିବା କହିଥିଲେ । ଭଉଣୀର ବୟସ ୩୫ ବର୍ଷ ଥିବା ବେଳେ ସନ୍ତାନ ଦ୍ୱୟ ୫ ଓ ୧୨ ବର୍ଷର ଥିଲେ ।

ଜାମସେଦପୁର ଏସଏସପି ତାମିଲ ବଣନ କହିଛନ୍ତି ଯେ, ହତ୍ୟାକାଣ୍ଡ ବାବଦରେ ପୋଲିସକୁ ସନ୍ଧ୍ୟା ୬ଟାରେ ସୂଚନା ମିଳିଥିଲା । ଘରେ ୪ଟି ମୃତଦେହ ପଡିଥିଲା । ଅଭିଯୁକ୍ତ ଦୀପକ କୁମାର ଫେରାର ଅଛି । ସମସ୍ତ ଦିଗରୁ ତଦନ୍ତ କରାଯାଉଛି । ଅତିଶୀଘ୍ର ଦୀପକକୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.