ତୈଳ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜୀବନ୍ତ ଦଗ୍ଧ, ନିଆଁ ଲିଭାରେ ୧୬ ଦମକଳ ଗାଡି

Published By : Prameya-News7 Bureau | June 09, 2020 IST

ଇସଲାମାବାଦ ୦୯।୦୬: ପାକିସ୍ତାନର ଫୈସଲାବାଦରେ ତୈଳ ଡିପୋରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ସୋମବାର ତୈଳ ଡିପୋରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ନିଆଁ ଲିଭାରେ ଦମକଳ ବିଭାଗର ୧୬ଟି ଗାଡି ନିୟୋଜିତ ହୋଇଥିଲେ। ଜୀବନ୍ତ ଦଗ୍ଧ ଅବସ୍ଥାରେ ୪ ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଆହତଙ୍କୁ ସ୍ଥାନୀୟ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ କାମ କରୁଥିବା ଏହି ତୈଳ ଡିପୋ ବିଷୟରେ ନା ଜିଲ୍ଲା ପ୍ରଶାସନକୁ ଜଣା ନଥିଲା ନା ପୋଲିସ ପାଖରେ କିଛି ସୂଚନା ଥିଲା। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଥମେ ଗଣମାଧ୍ୟମକୁ ଏହି ବିଷୟରେ ଖବର ଦେଇଥିଲେ।

ଅବୈଧ ଭାବେ ଚାଲୁଥିବା ଏହି ତୈଳ ଡିପୋରେ ୩୦ରୁ ଅଧିକ କର୍ମଚାରୀ କାମ କରୁଥିଲେ। ଦୁର୍ଘଟଣାରେ ଅଧିକାଂଶ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଡିପୋରେ  କର୍ମଚାରୀଙ୍କ ସୁରକ୍ଷା ଲାଗି କୌଣସି ସୁରକ୍ଷା ଉପକରଣ ନଥିଲା। ଏପରିକି ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ନଥିଲା। ଏହି ଦୁର୍ଘଟଣା ପରେ ଡିପୋ ମାଲିକ ଫେରାର ହୋଇ ଯାଇଥିବା ଜଣା ପଡିଛି। ଘଟଣାର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.