ସାମ୍ବାଦିକଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ; ମାର୍ଶାଘାଇରେ ଯୁବକଙ୍କ ଠେଲାପେଲାରେ ୪ ଜଣ ସାମ୍ବାଦିକ ଆହତ

Published By : Prameya-News7 Bureau | January 31, 2019 IST

କେନ୍ଦ୍ରାପଡା ୩୧|୧:  ପୁଣି ପ୍ରଶ୍ନ ଘେରରେ ସାମ୍ବାଦିକଙ୍କ ସୁରକ୍ଷା । କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟରେ ପୂର୍ବରୁ ତୀବ୍ର ପ୍ରତିବାଦର ସ୍ବର ଉଠିଥିବା ବେଳେ ଏପରି ଘଟଣା କିନ୍ତୁ ଥମିବାର ନାଁ ନେଉନି ।  ଏବେ ଏପରି ଆଉ ୨ଟି ଘଟଣା ରାଜ୍ୟର ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା  ସୃଷ୍ଟି କରିଛି। ପ୍ରଥମରେ କେନ୍ଦ୍ରାପଡା ମାର୍ଶାଘାଇରେ ସାମ୍ବାଦିକଙ୍କୁ କିଛି ଯୁବକଙ୍କ ଠେଲାପେଲା । କିଛି ଯୁବକଙ୍କର ଠେଲାପେଲାରେ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଏକ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା କରିଛନ୍ତି ଏହି ଯୁବକମାନେ ।

{"id":80039}

ସେପଟେ ସେହି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ତାଙ୍କୁ କଟୁରୀରେ ହାଣିବାକୁ ଉଦ୍ୟମ କରିଛନ୍ତି ୨ ଜଣ ଅଜଣା ଯୁବକ । ସାମ୍ବାଦିକ କୁମାରେଶ ନାୟକ ଏଥିରେ ଆହତ ହୋଇ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଫିସ୍ ନିକଟରେ ଏହି ଆକ୍ରମଣ ହୋଇଛି । ଆକ୍ରମଣକାରୀଙ୍କୁ ସ୍ଥାନୀୟ ଲୋକେ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଖସିଯାଇଛନ୍ତି । ଘଟଣାସ୍ଥଳରୁ ପୋଲିସ ସେମାନଙ୍କର ବାଇକ୍ ଜବତ କରିଛି । ପୂର୍ବରୁ ପୁରୀ, ବାଲିଆପାଳ, ସୋର ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ଏହା ବିରୋଧରେ ରାଜ୍ୟର ସାମ୍ବାଦିକମାନେ ଏକ୍ ହୋଇ ସ୍ବର ଉତ୍ତୋଳନ କରିଥିଲେ । ତେବେ ମାର୍ଶାଘାଇର ଏହି ଘଟଣା କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କର ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.