ସିଙ୍ଗାପୁରରେ ବାଣ ଫୁଟେଇବା ନିଷେଧ : ଦୀପାବଳିରେ ବାଣ ଫୁଟେଇ ଗିରଫ ହେଲେ ୪ ଭାରତୀୟ
10/11/2018 at 4:28 PM

ସିଙ୍ଗାପୁର ୧୦/୧୧ : ଦୀପାବଳିରେ ବାଣ ଫୁଟେଇବା ନେଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିୟମ ଜାରି କରିଥିଲେ | ଏହି ନିୟମ ଅନୁଯାୟୀ ରାତି ୮ଟା ରୁ ୧୦ଟା ମଧ୍ୟରେ ବାଣ ଫୁଟେଇବା ପାଇଁ ଜନ ସାଧାରଣଙ୍କୁ ଅନୁମତି ଦିଆଯାଇଥିଲା | କିନ୍ତୁ କିଛି ଲୋକ ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶକୁ ଉଲଙ୍ଘନ କରିଥିଲେ | ସେମାନଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା ଏବଂ ସେମାନଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା ଓ ଜୋରିମନା ଆଦାୟ କରାଯାଇଥିଲା | ତେବେ ସିଙ୍ଗାପୁର ପୁଲିସ ଦୀପାବଳିରେ ବାଣ ଫୁଟେଇବା ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା |
ସୂଚନାଯୋଗ୍ୟ ଯେ, ୧୯୭୨ ମସିହାରୁ ସିଙ୍ଗାପୁରରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି | ସିଙ୍ଗାପୁର ଅନ୍ତର୍ଗତ ବୁକିଟ, ୟୁ ସେଙ୍ଗ୍ ରୋଡ଼, ୟୀଶୁନ୍ ଭଳି ତିନୋଟି ସ୍ଥାନରେ ଘଟିଥିବା ଅଲଗା ଅଲଗା ଘଟଣାରେ ଅବାଧରେ ବାଣ ଫୁଟେଇବା ନେଇ ୪ଜଣ ଭାରତୀୟ ସମ୍ପୃକ୍ତ ଥିବା ଜଣାପଡିଛି |
ଦ ସ୍ଟ୍ରେଟସ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏ.ହରି ପ୍ରଶାନ୍ତ (୧୮), ଏଲୱିଶ ଜୋଭିୟର ଫର୍ଣ୍ଣଣ୍ଡିସ (୨୫), ଜୀବନ ଅର୍ଜୁନ (୨୮), ଅଲଗପନ୍ନ ସିଙ୍ଗରାମ( ୫୪)ଙ୍କ ବିରୋଧରେ ଭୟଙ୍କର ବାଣ ଫୁଟେଇବା ଅଭିଯୋଗ ଆସିଛି | ଏହା ପୂର୍ବରୁ ମଧ୍ୟ ଦୁଇଜଣ ଭାରତୀୟଙ୍କ ବିରୋଧରେ ସର୍ବସାଧାରଣରେ ବାଣ ଫୁଟେଇବା ଅଭିଯୋଗ ହୋଇଥିଲା |
ଟି ସିଲାବାରାଜୁ ବାଣ ଫୁଟେଇଥିଲେ ଏବଂ ଶିବ କୁମାର ସୁବ୍ରମଣ୍ୟମ ତାଙ୍କୁ ବାଣ ଫୁଟାଇବା ପାଇଁ ପାଇଁ ଉସୁକାଇଥିଲେ | ଜୀବନ ଅର୍ଜୁନ ମଙ୍ଗଳବାର ଦିନ ଅପରାହ୍ନରେ ଖୋଲା ପଡିଆରେ ବାଣ ଫୁଟେଇଥିବା ଅଭିଯୋଗ ହୋଇଛି |
ପୋଲିସ ସୂଚନା ଅନୁଯାୟୀ, ଜୋର ଶବ୍ଦ ଶୁଣିବା ପରେ ତାଙ୍କୁ ସତର୍କ କରାଯାଇଥିଲା ଏବଂ ସେହି ସ୍ଥାନ ଛାଡି ଯିବାକୁ କୁହାଯାଇଥିଲା | ପୋଲିସ ସେଠାରୁ ବିସ୍ଫୋରକ ଭର୍ତ୍ତି ଏକ ସିଲିଣ୍ଡର ଜବତ କରିଥିଲା | ପରଦିନ ଜୀବନକୁ ପୋଲିସ ଗିରଫ କରିଥିଲା |
ହରିପ୍ରସାଦ ଏବଂ ସିଙ୍ଗାରାମ ବୁକିଟ ବାଟୋକ ୱେଷ୍ଟ ଏଭେନ୍ୟୁ -୬ ଠାରେ ବ୍ଲକ ୧୯୪ ସାଇଡରେ ଖୋଲା ଜାଗାରେ ବାଣ ଫୁଟେଇଥିବା ଅଭିଯୋଗ ହୋଇଥିଲା | ତାଙ୍କୁ ଗୁରୁବାର ଦିନ ଗିରଫ କରାଯାଇଥିଲା | ତେବେ ୪ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ ଜାମିନ ଦିଆଯାଇଥିଲା |
ସିଙ୍ଗାପୁର ପୋଲିସ ସୂଚେଇ ଦେଇଛି ଯେ, ଭୟଙ୍କର ବାଣ ନିଜ ପାଖରେ ରଖିବା, ବିକ୍ରି କରିବା, ଅନ୍ୟ କେଉଁ ସ୍ଥାନକୁ ପଠେଇବା ବା ଫୁଟାଇବା ଅପରାଧ |