ପ୍ଲାଷ୍ଟିକ୍‌ ପାଇପ୍ ସାହାଯ୍ୟରେ ଗାଧୁଆ ଘରେ ପଶିଗଲା ୪ଫୁଟ୍‌ର ବଡ଼ ଗୋଧି, ୫ ଦିନ ବନ୍ଦ ରହିଲା ଗାଧୁଆ ଘର, ତାପରେ....

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର, ୦୮/୦୭: ଭୁବନେଶ୍ୱରର ପଳାଶୁଣି କପିଳେଶ୍ୱର ବିହାର ଲେନ ୬ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ମୋଟା ସୋଟା ଗୋଧି । ଗୋଧିଟି ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ ସାହାଯ୍ୟରେ ଉପରକୁ ଉଠି ସ୍କାଇ ଲାଇଟ ପଟେ ପଶି ଗାଧୁଆ ଘରେ ଖସି ପଡ଼ିଥିଲା । ଆଉ ବାହାରି ନ ପାରି କେବଳ ସେଇ ଗାଧୁଆ ଘର ଭିତରେ ଏପଟ ସେପଟ ହେଉଥିଲା । କିନ୍ତୁ ଭିତର କାନ୍ଥରେ ଟାଇଲ ଲାଗିଥିବା ହେତୁ ଗୋଧିଟି ଆଉ ଉପରକୁ ଚଢି ପାରି ନଥିଲା । ଘର ଲୋକେ ଗୋଧିଟିକୁ ଗାଧୁଆ ଘରୁ ତଡିବା ପାଇଁ bleaching ପାଉଡର ମଧ୍ୟ ଚଟାଣ ଉପରେ ଛିଞ୍ଚି ଥିଲେ, ହେଲେ କବାଟ ବନ୍ଦ ଥିବାରୁ ଗୋଧିଟି ବାହାରକୁ ବାହାରି ନଥିଲା । ଗୋଧିଟି ଏତେ ବଡ଼ ଥିଲା ଯେ ପାଇଖାନାର ଗାତ ଭିତରେ କେବଳ ମୁଣ୍ଡ ହିଁ ପୁରେଇ ପାରୁଥିଲା, ହେଲେ ବାକି ଦେହ ସେମିତି ବାହାରେ ରହୁଥିଲା ।

ଏମିତି ୪ ଦିନ କଟିବା ପରେ ଘର ଲୋକେ ପଞ୍ଚମ ଦିନ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୁତାର ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୪ ଫୁଟ ଲମ୍ବର ବିରାଟକାୟ ବେଙ୍ଗଲ ମୋନିଟର ଲିଜ଼ାର୍ଡ ପ୍ରଜାତିର ଗୋଧିକୁ ପାଇଖାନାରେ ଅଧା ପସି ଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଗୋଧି ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

ସ୍ନେକ ହେଲ୍ପ ଲାଇନର ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "୪ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଘର ଵାଲା ଆମକୁ ଡାକିଥିଲେ । ସେମାନେ ପ୍ରଥମ ଦିନରୁ ହିଁ ଯଦି ଡାକିଥାନ୍ତେ ଏତେ ଦିନ ଆଉ ଭୟରେ କାଟି ବାକୁ ପଡି ନଥାନ୍ତା । ତେବେ ଗୋଧି ଏକ ବିଷ ହୀନ ନିରୀହ ପ୍ରାଣୀ, ଏହା ମଣିଷଙ୍କର କିଛି ବି କ୍ଷତି କରିନଥାଏ । ଏଣୁ ଗୋଧିକୁ ମାରିବା ଦରକାର ନାହିଁ, ଏବଂ ଓଡ଼ିଶାରେ ବା ଭାରତରେ ମିଳୁ ଥିବା କୌଣସି ବି ଗୋଧି ପ୍ରଜାତି ବିଷଧର ନୁହଁନ୍ତି" ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.