ଜଘନ୍ୟ ହତ୍ୟାକାଣ୍ଡ: ପାଣି ଟାଙ୍କିରୁ ମିଳିଲା ୪ ଜଣଙ୍କ ମୃତଦେହ, ରକ୍ଷା ପାଇଯାଇଥିବା ଶିଶୁ କହିଲା ଭୟଙ୍କର ରାତିର କଥା
22/12/2020 at 4:21 PM

ଦୁର୍ଗ ୨୨/୧୨ : ଛତିଶଗଡର ଦୁର୍ଗ ଜିଲ୍ଲା ଅମଲେଶ ଥାନା ଅନ୍ତର୍ଗତ ଖୁଡମୁଡା ଗାଁରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ତେବେ ଉକ୍ତ ପରିବାରର ଜଣେ ଶିଶୁର ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି । ପୋଲିସ କହିବା ମୁତାବକ ପରିବାରର ବଲରାଜ ସୋନକର(୬୦), ପତ୍ନୀ ଦୁଲରିତ ବାଇ(୫୫), ପୁଅ ରୋହିତ(୩୦) ଏବଂ ବୋହୂ କିର୍ତ୍ତିନଙ୍କର ମୃତଦେହ ଘରୁ ଜବତ କରାଯାଇଛି । ତେବେ ବଲରାଜ ସୋନକରଙ୍କର ନାତୀଙ୍କୁ ଗୁରୁତର ଅବସ୍ଥାରେ ଘରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣା ସମ୍ପର୍କରେ ଏସ୍ପି ଆକାଶ ରାଓ କହିଛନ୍ତି, ପରିବାରର ୪ ଜଣଙ୍କ ମୃତ ଦେହକୁ ଘରେ ଥିବା ପାଣି ଟାଙ୍କିରୁ ଉଦ୍ଧାର ଜବତ କରାଯାଇଛି । ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ଏସ୍ପି । ପ୍ରଥମେ ଘରର ୨ ମହିଳାଙ୍କ ଶବ ଜବତ କରାଯାଇଥିଲା । ପରେ ଛାନଭିନ୍ ବେଳେ ଆଉ ଦୁଇଜଣକ ମୃତ ଦେହ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଛି ।
ତେବେ ବର୍ତ୍ତମାନ ଯାଏଁ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ହତ୍ୟାକାଣ୍ଡରେ କେତେଜଣ ସଂପୃକ୍ତ ତାହାର ଛାନଭିନ୍ କରୁଛି ପୋଲିସ । ପୋଲିସ କହିବା ମୁତାବକ ପୁରା ପରିବାର ଗାଁର ବାହାରେ ଥିବା ଚାଷଜମିରେ ଘର କରି ରହୁଥିଲେ । ତେବେ ଗାଁର କିଛି ଲୋକଙ୍କ କହିବା କଥା ଯେ, ସେମାନଙ୍କର କାହା ସହିତ କୌଣସି ଶତୃତା ମଧ୍ୟ ନଥିଲା ।
ରକ୍ଷା ପାଇଯାଇଥିବା ଶିଶୁଟି ଘଟଣା ସମ୍ପର୍କରେ କହିଛି ଯେ, ‘ରବିବାର ରାତିରେ ଜଣେ ବ୍ୟକ୍ତି ସାଇକେଲରେ ଘରକୁ ଆସିଥଲେ । ଘରେ ରାତ୍ରି ଭୋଜନ କରିବା ସହ ଶୋଇଥିଲେ । ଅଧ ରାତିରେ ମାଙ୍କର ଚିତ୍କାର ଶୁଣାଯାଇଥିଲା’। ସେ ଯେତେବେଳେ ତାଙ୍କ ମାଙ୍କୁ ଡାକିବାକୁ ପ୍ରୟାସ କରିଥିଲେ ଉକ୍ତ ବ୍ୟକ୍ତିଜଣକ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଧସ୍ତାଧସ୍ତି ବେଳେ ଶିଶୁଟିର ମୁଣ୍ଡ ଘରର କାନ୍ଥରେ ପିଟି ହୋଇଯିବା ଫଳରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ତେବେ ଘଟଣାର ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।