ଖୁସି ଖବର : କରୋନା ଭାକସିନ୍‌ର ୪ କୋଟି ଡୋଜ୍ ପ୍ରସ୍ତୁତ, ଜାନୁଆରୀ ସୁଦ୍ଧା ୩୦ କୋଟିର ଟାର୍ଗେଟ୍

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ, ୧୩|୧୧:  କରୋନା ଭାଇରସ ଭାକସିନର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ୪ କୋଟି ଡୋଜ୍ ପ୍ରସ୍ତୁତ କରିସାରିଛି । କମ୍ପାନୀ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକାର ଭାକସିନ୍ କୋଭିସିଲ୍ଡର ଉତ୍ପାଦନ କରୁଛି । ସିରମ୍ ଇନଷ୍ଟିଚ୍ୟୁଟ୍ ୨୦୨୧ ସୁଦ୍ଧା ୨୦ରୁ ୩୦ କୋଟି ଡୋଜର ଷ୍ଟକ୍ ପ୍ରସ୍ତୁତ କରିପାରିବ ବୋଲି ସୂଚନା ମିଳିଛି । ଏହାର ଅଧା ଡୋଜ୍ ସ୍ଥାନୀୟ ଲୋକଙ୍କୁ ପ୍ରଦାନ କରାଯିବ । ୟୁକେରେ ବିକଶିତ ହୋଇଥିବା ଏହି ଭାକସିନକୁ ଲଣ୍ଡନ ବ୍ୟତୀତ ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଟ୍ରାଏଲ କରାଯାଉଛି ।

ଏସଆଇଆଇ ଓ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଗୁରୁବାର କହିଛନ୍ତି ଯେ, କୋଭିସିଲ୍ଡର ଫେଜ୍ ୩ ଟ୍ରାଏଲ ପାଇଁ ଦେଶରେ ୧୬୦୦ଜଣ ପଞ୍ଜିକରଣ କରିଛନ୍ତି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଫଳାଫଳକୁ ନେଇ ଭାକସିନ୍ ଅତିଶୀଘ୍ର ଆସିବ ବୋଲି ଆଶା କରାଯାଉଛି । ଏହା ଭାରତରେ ଟେଷ୍ଟ୍ ହେଉଥିବା ସବୁଠାରୁ ବିକଶିତ ଭାକସିନ୍ ଅଟେ ।

ଭାରତରେ ହେଉଥିବା ଭାକସିନର ଟ୍ରାଏଲ ମୁଖ୍ୟତଃ ଭାକସିନ କେତେ ପରିମାଣରେ ପ୍ରଭାବି ଓ ସୁରକ୍ଷିତ ତା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ଭାକସିନ କେତେ ଦିନ ଯାଏଁ ପ୍ରଭାବୀ ରହିବ ତାହା ଜାଣିବା ପାଇଁ ଅଧିକ ସମୟ ଆବଶ୍ୟକ । ଲଣ୍ଡନରେ ହେଉଥିବା ଭାକସିନ ଟ୍ରାଏଲର ଡାଟା ମଧ୍ୟ ଭାରତୀୟ ଅଧିକାରୀଙ୍କୁ ପ୍ରଦାନ କରାଯିବ । କାରଣ ଭାକସିନର ରୋଲିଂ ରିଭ୍ୟୁ ଉପରେ ବିଚାର କରାଯାଇ ଫାଷ୍ଟ୍ ଟ୍ରାକ୍ ଆପ୍ରୁଭାଲ୍ ମିଳିପାରିବ ।

ସୂଚନାଯୋଗ୍ୟ, ସିରମ୍ ଇନଷ୍ଟିଚ୍ୟୁଟ୍ ଆମେରିକୀୟ କମ୍ପାନୀ ନୋଭାଭାକ୍ସ ସହ ମଧ୍ୟ କୋଭୋଭାକ୍ସ ଭାକସିନ୍ ପାଇଁ ଚୁକ୍ତି କରିଛି । ସିରମ ଇନଷ୍ଟିଚ୍ୟଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ୱାଲା ଗତ ସପ୍ତାହରେ କହିଥିଲେ ଯେ, ଆସନ୍ତା ବର୍ଷର ଆରମ୍ଭରେ ପ୍ରଭାବୀ ଓ ସୁରକ୍ଷିତ ଭାକସିନ୍ ଉପଲବ୍ଧ ହେବ । ଟ୍ରାଏଲ୍ ସଫଳ ହେବା ପରେ ବିଭିନ୍ନ ସଂସ୍ଥାର ଅନୁମତି ମିଳିଗଲେ ଜାନୁଆରୀ ୨୦୨୧ରେ ଭାକସିନ୍ ଆସିପାରେ । ଭାରତରେ କୋଭିସିଲ୍ଡ ଟ୍ରାଏଲରେ ସୁରକ୍ଷା ସମ୍ବନ୍ଧିତ କୈଣସି ଅସୁବିଧା ହୋଇନଥିବା ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.