Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ କୋଟିର ବ୍ରାଉନ୍‌ ସୁଗର୍‌ ଜବତ, ଏସଟିଏଫ ଟିମ୍‌ର ଚଢ଼ଉ, ୨ଜଣ ଗିରଫ

28/08/2020 at 7:06 AM

କଟକ୨୮/୮: ଓଡ଼ିଶାରେ ବ୍ରାଉନ୍‌ ସୁଗର୍‌ କାରବାର ବ୍ୟାପିବାରେ ଲାଗିଛି। ଅବକାରୀ ଚଢ଼ଉ ସତ୍ତେ୍ୱ ଅନ୍ତଃରାଜ୍ୟ ନିଶା ମାଫିଆଙ୍କ ଦ୍ୱାରା ରାଜ୍ୟର ଅନେକ ଅଞ୍ଚଳରେ ଭାବେ ବ୍ରାଉନ୍‌ ସୁଗର୍‌ କାରବାର ଚାଲିଛି । ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ବ୍ରାଉନ୍‌ ସୁଗର୍‌ କାରବାରର ପର୍ଦ୍ଦାଫାସ କରିଛି କ୍ରାଇମ୍‌ବ୍ରାଞ୍ଚ୍‌ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ(ଏସ୍‌ଟିଏଫ୍‌) । ପଶ୍ଚିମବଙ୍ଗ ଓଡ଼ିଶା ସୀମା ଜଳେଶ୍ୱର ଥାନା ଅଞ୍ଚଳରୁ ଏସ୍‌ଟିଏଫ୍‌ ୪ କେଜି ୨୫ ଗ୍ରାମ ଓଜନର ବ୍ରାଉନ୍‌ ସୁଗର୍‌ ଜବତ କରିଛି। ଜବତ ବ୍ରାଉନ ସୁଗରର ବଜାର ମୂଲ୍ୟ ୪ କୋଟି ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏତେ ବିପୁଳ ପରିମାଣର ବ୍ରାଉନ୍‌ ସୁଗର୍‌ ଜବତ ହେବା ରାଜ୍ୟରେ ଦ୍ୱିତୀୟ ଘଟଣା ବୋଲି ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଏସ୍‌ଟିଏଫ୍‌ ଗତ ଜୁନ୍‌ ୧୯ରେ ସର୍ବାଧିକ ୪ କେଜି ୪୫୮ ଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗର ଜବତ କରିଥିଲା । ଏହି କାରବାରରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି । ଏଥିରେ ଏକ ବଡ଼ ର‌୍ୟାକେଟ୍‌ ସଂପୃକ୍ତ ଥିବାରୁ ଅଭିଯୁକ୍ତମାନଙ୍କ ସହ ସେମାନଙ୍କ ର‌୍ୟାକେଟ୍‌ ସମ୍ପର୍କରେ ଅଧିକ ସୂଚନା ଦେବାକୁ ଡିଜି ମନା କରିଛନ୍ତି । ତେବେ ନିଶା ମାଫିଆମାନେ ବ୍ରାଉନ୍‌ ସୁଗର କୋଲକତାରୁ ଜଳେଶ୍ୱର ଦେଇ ଓଡ଼ିଶାକୁ ଆଣୁଛନ୍ତି ବୋଲି ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ରାଜ୍ୟରେ ସକ୍ରିୟ ଥିବା ଏହି ବ୍ରାଉନ୍‌ ସୁଗର୍‌ ଚାଲାଣ ର‌୍ୟାକେଟ୍‌ରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଲିଙ୍କ୍‌ ରହିଛି । ତେବେ ଜଳେଶ୍ୱର ସୀମା ଦେଇ ଆସୁଥିବା ବ୍ରାଉନ ସୁଗର୍‌କୁ କିଭଳି ରୋକାଯିବ ସେନେଇ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଡିଜି ପ୍ରକାଶ କରିଛନ୍ତି ।

କ୍ରାଇମବ୍ରାଞ୍ଚ୍‌ ମୁଖ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜି ଶ୍ରୀ ଅଭୟ କହିଛନ୍ତି, ରାଜ୍ୟରେ ବ୍ରାଉନ ସୁଗର, ଗଞ୍ଜେଇ ଚାଲାଣ ଭଳି ନିଶା କାରବାରକୁ ରୋକିବା ପାଇଁ ପୁଲିସ ବିଶେଷ ପଦକ୍ଷେପ ନେଉଛି । ଚଳିତ ବର୍ଷ ପୁଲିସ୍‌ ଅଦ୍ୟାବଧି ୨୭ କେଜି ୫ ଗ୍ରାମ ବ୍ରାଉନ ସୁଗର ଜବତ କରିସାରିଛି । ସେଥିରୁ କେବଳ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୨୦ କେଜି ୭୩୬ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ କରିଛି । ବ୍ରାଉନ୍‌ ସୁଗର କାରବାର ନେଇ ଏସ୍‌ଟିଏଫ୍‌ ଚଳିତ ବର୍ଷ ୨୨ଟି ମାମଲା ରୁଜୁ କରି ୪୩ ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ୮ ମାସ ମଧ୍ୟରେ ଏସ୍‌ଟିଏଫ୍‌ ଜବତ କରିଥିବା ବ୍ରାଉନ ସୁଗର୍‌ର ପରିମାଣ ଓଡ଼ିଶା ପୁଲିସ୍‌ର ଗତ ୮ ବର୍ଷ ମଧ୍ୟରେ ଜବତ କରିଥିବା ବ୍ରାଉନ ସୁଗର ପରିମାଣ ସମାନ ।

ଏସ୍‌ଟିଏଫ୍‌ ଚଳିତ ବର୍ଷ ମାର୍ଚ୍ଚ ୧୧ ରେ ୧ କେଜି ୭୪୯ ଗ୍ରାମର ବ୍ରାଉନ ସୁଗର ଜବତ କରିଥିବା ବେଳେ ସେହି ମାର୍ଚ୍ଚ ୧୯ ତାରିଖରେ ୨ କେଜି ୭୨୯ ଗ୍ରାମ, ଜୁନ୍‌ ୨ରେ ୧ କେଜି ୮ ଗ୍ରାମ, ଜୁନ୍‌ ୧୯ରେ ୪ କେଜି ୪୫୮ ଗ୍ରାମ, ଜୁଲାଇ ୧୯ରେ ୩ କେଜି ୨୮୫ ଗ୍ରାମ, ଅଗଷ୍ଟ ୧୭ ତାରିଖରେ ୧ କେଜି ୩୨୦ ଗ୍ରାମ ଓ ଗତକାଲି ବିଳମ୍ବିତ ରାତିରେ ୪ କେଜି ୨୫ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ କରିଥିବା ଡିଜି ପ୍ରକାଶ କରିଛନ୍ତି ।

ସେହିପରି ଗଞ୍ଜେଇ ଚାଲାଣ ରୋକିବାରେ ବି ପୁଲିସକୁ ବହୁ ସଫଳତା ମିଳିଛି ବୋଲି ସୂଚନା ଦେଇ ଡିଜି ଶ୍ରୀ ଅଭୟ କହିଲେ ଯେ, ୨୦୧୮ ମସିହାରେ ପୁଲିସ୍‌ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୨୩ କ୍ୱିଣ୍ଟାଲ୍‌ ୮୯ କେଜି ଗଞ୍ଜେଇ ଜବତ କରିଥିବାବେଳେ ୨୦୧୯ରେ ୬୧୮ କ୍ୱିଣ୍ଟାଲ୍‌ ୧୫ କେଜି ଏବଂ ଚଳିତ ବର୍ଷ ୮ ମାସ ମଧ୍ୟରେ ୬୩୦ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରାଯାଇଛି । ବ୍ରାଉନ ସୁଗର ରାଜ୍ୟ ବାହାରୁ ଚାଲାଣ ହେଉଥିବାବେଳେ ଗଞ୍ଜେଇ କିନ୍ତୁ ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଏବଂ ଆନ୍ଧ୍ର ସୀମାନ୍ତରୁ ଆସୁଥିବା ଡିଜି କହିଛନ୍ତି । ରାଜ୍ୟ ଭିତରେ ଗଞ୍ଜେଇ ଆମଦାନୀ ଏବଂ ଚାଲାଣକୁ ରୋକିବା ପାଇଁ ପୁଲିସ୍‌ ପକ୍ଷରୁ ଅଭିଯାନ ଚାଲିଛି ବୋଲି ଡିଜି ପ୍ରକାଶ କରିଛନ୍ତି ।

   Related Posts