ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ଆମେରିକା ସମେତ ୪ ଦେଶ କଲେ ବହିଷ୍କାର, ଚୀନର ଧମକ ପରିଣାମ ଭୋଗିବାକୁ ପଡିବ

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ ୦୯।୧୨: ଆମେରିକା ସମେତ ଚାରି ଦେଶର ରାଷ୍ଟ୍ରଦୂତ ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ବହିଷ୍କାର କରିଛନ୍ତି। ଏଥିରେ ଚୀନକୁ ଶକ୍ତ ଝଟକା ଲାଗିଛି। ରାଗରେ ଜର୍ଜରିତ ହୋଇ ଉଠିଛି ଡ୍ରାଗନ। ଚୀନ ଗୁରୁବାର ଚେତାବନୀ ଦେଇ କହିଛି ଯେ, ଅଲିମ୍ପିକ୍ସ ବହିଷ୍କାର ନିଷ୍ପତ୍ତି ପାଇଁ ଚାରି ଦେଶକୁ ବହୁମୂଲ୍ୟ ଦେବାକୁ ପଡିବ।

ଚୀନରେ ଉଇଗର ମୁସଲିମ ଲୋକଙ୍କ ସହିତ ନିର୍ଯ୍ୟାତନା ଉପରେ ଚିନ୍ତା ବ୍ୟକ୍ତ କରି ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ୍ ଓ କାନାଡର ରାଷ୍ଟ୍ରଦୂତ ବେଜିଂର ଶୀତକାଳୀନ ଅଲିମ୍ପିକ୍ସ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି। ଏହା ଉପରେ ଚୀନ କଡା ପ୍ରତିକ୍ରିୟା ଦେଇ ଚାରି ଦେଶକୁ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି।

ଏହା ପୂର୍ବରୁ ଚୀନ ମଙ୍ଗଳବାର ଚେତାବନୀ ଦେଇଥିଲା ଯେ, ମାନବାଧିକାର ଆଳ ଦେଖାଇ ଅଲିମ୍ପିକ୍ସ ବହିଷ୍କାର ନିଷ୍ପତ୍ତି ନେଇଥିବା ଆମେରିକାକୁ ମୂଲ୍ୟ ଦେବାକୁ ପଡିବ। ଆମେରିକା ସମେତ ଚାରି ଦେଶର ଏହି ପଦକ୍ଷେପ ଯୋଗୁଁ ଆଥଲେଟଙ୍କୁ ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ରୋକି ଦିଆଯାଇଛି।

ଚୀନରେ ଉଇଗର ମୁସଲମାନଙ୍କ ପ୍ରତି ହେଉଥିବା ଅକଥନୀୟ ଅତ୍ୟାଚାର ପ୍ରତିବାଦରେ ଆମେରିକା ଏହି ଆଭିମୁଖ୍ୟ ଆପଣେଇଛି। ଏହା ପୂର୍ବରୁ ଆମେରିକା ସମେତ ଅନେକ ଦେଶ ଉଇଗର ମୁସଲମାନଙ୍କ ଉପରେ ଅତ୍ୟାଚାରକୁ ନେଇ ଚିନ୍ତା ପ୍ରକାଶ କରି ସାରିଛନ୍ତି। ସୂଚନାଯୋଗ୍ୟ, ଚୀନରେ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ୨୦୨୨ ଫେବୃଆରୀ ୪ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ଆୟୋଜିତ ହେବ।

ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିୟନ ଉଇଗର ମୁସଲମାନଙ୍କ ଉପରେ ଅତ୍ୟାଚାରକୁ ମିଥ୍ୟା ଏବଂ ଗୁଜବ ଆଖ୍ୟା ଦେଇଥିଲେ। ଅନ୍ୟପଟେ ଆମେରିକା ସରକାରଙ୍କ ଏହି ପଦକ୍ଷେପକୁ ଆମେରିକାର ରାଜନେତା ବ୍ୟାପକ ଭାବେ ସ୍ଵାଗତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.