କ୍ଷଣକେ ପାଣିରେ ମିଳେଇଗଲା ସବୁ ଖୁସି: ସାନ ଭାଇ ପାଇଁ ଝିଅ ଦେଖି ଆସିବା ବାଟରେ ଦୁର୍ଘଟଣା, ଚାଲିଗଲା ୪ ଭାଇ-ଭଉଣୀଙ୍କ ଜୀବନ

Published By : Prameya-News7 Bureau | January 18, 2021 IST

ମହେନ୍ଦ୍ରଗଡ ୧୮/୦୧ : ହରିୟାଣା ମହେନ୍ଦ୍ରଗଡ ଜିଲ୍ଲା ଝଗଡୋଲି କେନାଲ ନିକଟରେ ଏକ ଭୀଷଣ ଦୁର୍ଘଟଣା ହୋଇଛି। ଏକ କାର ଓ ବସ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୪ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ଜଣ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ୩ ଭାଇ ଓ ଜଣେ ଭଉଣୀ ଅଛନ୍ତି। ଭାଇ-ଭଉଣୀ ମହେନ୍ଦ୍ରଗଡ ନିଜର ସବୁଠାରୁ ସାନ ଭାଇ ପାଇଁ ଝିଅ ଦେଖିବାକୁ ଯାଇଥିଲେ। ଝିଅ ଦେଖି ଏମାନେ ଫରିଦାବାଦ ନିଜ ଘରକୁ ଫେରୁଥିଲେ। ବାଟରେ ଏକ ବସ ସହ ତାଙ୍କ କାରର ଧକ୍କା ହୋଇଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗାଡିରେ ହିଁ ୩ଜଣଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି।

ପୋଲିସ ଏସଏଚଓ ରାଜବିର ସିଂହ କହିଛନ୍ତି ଯେ ଫରିଦାବାଦ ସେକ୍ଟର ୧୯ର ଗୋଟିଏ ପରିବାରର ୪ଜଣ ଭାଇ-ଭଉଣୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଏମାନେ ନିଜ ସାନ ଭାଇ ପାଇଁ ଝିଅ ଦେଖିବାକୁ ଯାଇଥିଲେ। ଫେରିବା ବାଟରେ ମହେନ୍ଦ୍ରଗଡ କନିନା ମୁଖ୍ୟ ମାର୍ଗ ଝଗଡୋଲି ଗାଁ କେନାଲ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବସ ସହ ଧକ୍କା ହୋଇଥିଲା।  ଏହି ଘରୋଇ ବସ ରେବାଡ଼ିରୁ ମହେନ୍ଦ୍ରଗଡ ଯାଉଥିଲା।

୪ ମୃତକଙ୍କ ମୃତଦେହ ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ବହୁ କଷ୍ଟରେ ୪ଜଣଙ୍କୁ କାରରୁ ବାହାର କରିଥିଲେ। କାରରେ ହିଁ ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ଭାଇକୁ ମହେନ୍ଦ୍ରଗଡ ହସ୍ପିଟାଲ ନେବା ବାଟରେ ପ୍ରାଣବାୟୁ ଉଡିଯାଇଥିଲା। ପୋଲିସ ପହଞ୍ଚି ମୃତକଙ୍କ ପରିବାରକୁ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.