ଶେଷ ମୂହୁର୍ତ୍ତରେ ବି ଅଘଟଣକୁ ଡ଼ର …‘ସୁଇସାଇଡ୍‌ ୱାଚ୍‘ ରେ ୪ ନିର୍ଭୟା ଦୋଷୀ, ପ୍ରତିଦିନ ଦୋଷୀଙ୍କ କୋଠରୀ ୨ ଥର ଯାଞ୍ଚ ସହ ସ୍ୱାସ୍ଥ୍ୟ ପରୀକ୍ଷା

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ ୨୫/୦୧-ଭାରତର ସବୁଠୁ ବଡ ଜେଲ୍‌ ତିହାର ଜେଲ୍ । ଏଠାରେ ପ୍ରାୟ ୧୮,୦୦୦ କଏଦୀଙ୍କ ଭିତରେ ଅଛନ୍ତି ବହୁ ଭୟଙ୍କର ଏବଂ ସଙ୍ଗୀନ ମାମାଲାରେ ଦୋଷୀ ତଥା ଅଭିଯୁକ୍ତ ଅନେକ ଅପରାଧୀ । ତେବେ ବର୍ତ୍ତମାନ ଏଠାରେ କଡା ସୁରକ୍ଷା । କେବଳ କଡା ନୁହେଁ ଅଭୂତପୂର୍ବ ।କାରଣ ଏହି ଜେଲ୍‌ ଏବେ ସବୁଠୁ ବେଶି ଚର୍ଚ୍ଚାରେ । ଏଠାରେ ଅଛନ୍ତି ଡିସେମ୍ବର ୧୬, ୨୦୧୨ର ସେହି ୪ ଭୟଙ୍କର ଅପରାଧୀ । ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର  ୪ ଦୋଷୀ । ସେମାନଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଲାଗି ଡେଥ ୱାରେଣ୍ଟ ଜାରି ହୋଇ ସାରିଛି । ଦୋଷୀଙ୍କୁ ଫାଶୀ ଦେବା ଲାଗି ସ୍ବତନ୍ତ୍ର ସେଲ୍‌କୁ ଅର୍ଥାତ୍ ଜେଲ ନମ୍ବର ୩ କୁ ସ୍ଥାନାନ୍ତର ସହ ଫାଶୀ ଲାଗି ସମସ୍ତ ପ୍ରସ୍ତୁତି ବି କରିଛନ୍ତି । ତେବେ ବଡ଼ କଥାଟି ହେଲା ,ଏହି ୪ ଦୋଷୀଙ୍କ ଲାଗି ହିଁ ତିହାରରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଉପରେ ରଖାଯାଇଛି ସ୍ବତନ୍ତ୍ର ନଜର । କାଳେ ସେମାନେ କିଛି ଅଘଟଣ ଘଟାଇବେ , ଆତ୍ମହତ୍ୟା ଉଦ୍ୟମ ବି କରିପାରନ୍ତି ।ସେଥିପାଇଁ ଜେଲ୍‌ ପ୍ରଶାସନ ୪ ଦୋଷୀ ମୁକେଶ ସିଂ,ପୱନ କୁମାର ଗୁପ୍ତା,ଅକ୍ଷୟ ଠାକୁରଓ ବିନୟ ଶର୍ମା ଉପରେ ଅହୋରାତ୍ର ନଜର ।  

 ତିହାରରେ ଏପରି ସୁରକ୍ଷା କେବେ ଦେଖାଯାଇନି । ନାମ ପ୍ରକାଶ ନକରିବା ସର୍ତ୍ତରେ ଏପରି କହିଛନ୍ତି ଜଣେ ଜେଲ୍‌ କର୍ମଚାରୀ । ନିର୍ଭୟାକାଣ୍ଡର ୪  ଦୋଷୀ ଏବେ ସୁଇସାଇଡ୍‌ ୱାଚ୍‌ରେ । ଅର୍ଥାତ୍ କାଳେ ସେମାନେ କିଛି ଘଟାଇ, ଫାଶୀକୁ ବିଳମ୍ବିତ କରିବେ । ସେଥିଲାଗି ୪ ଦୋଷୀଙ୍କ ପ୍ରତିଟି ଆଚରଣ ଏବଂ ଚାଲିଚଳନ ଉପରେ ଜେଲ୍‌ ପ୍ରଶାସନ ରଖିଛି ନଜର । ଚକ୍ରବ୍ୟୁହ ବଳି ଜଗିଛନ୍ତି ଜେଲ୍‌ ସୁରକ୍ଷା କର୍ମୀ । ସତେ ଯେପରି ୪ ଦୋଷୀଙ୍କ ନିଶ୍ବାସ ପ୍ରଶ୍ୱାସ ବି ଗଣା ହେଉଛି ।

 ତିହାର ଜେଲ୍‌ର ହାଇ ରିସ୍କ ୱାର୍ଡରେ ରହିଛନ୍ତି ୪ ଦୋଷୀ । ସେମାନଙ୍କୁ ଅଲଗା ଅଲଗା ୪ ଟି ସିଙ୍ଗଲ ସେଲ୍‌ରେ ରଖାଯାଇଛି । ୬ x ୮ ପୁଟିର କୋଠରୀ ଗୁଡିକରେ ୪  ନିର୍ଭୟା ଦୋଷୀ ଅଲଗା ଅଲଗା ରହୁଥିବା ବେଳେ, ତାହାର ସମ୍ମୁଖ ଭାଗ ସବୁ ପୁରା ଖୋଲା କେବଳ ସେଠାରେ ପ୍ରିଜିନ ବାର ଲାଗିଛି ଏବଂ ସେଠାରେ ରହିଛନ୍ତି ଏକାଧିକ ଜଗୁଆଳୀ ସଶସ୍ତ୍ର ସୁରକ୍ଷା କର୍ମୀ ।ସେପଟେ ବନ୍ଦୀ ମାନଙ୍କ ସ୍ବତନ୍ତ୍ର ସେଲ୍‌ ବା କୋଠରୀରେ ଛାତରେ କୌଣସି ଲୁହା ରେଲିଂ କିମ୍ବା ବିମ୍‌ ନାହିଁ । କୋଠରୀ ଗୁଡିକର କୌଣସି ପାର୍ଶ୍ୱରେ ମଧ୍ୟ କପଡା ତିଆରି କାନ୍ଥ ନାହିଁ, କିମ୍ବା ସେଠାରେ କପଡା ମଧ୍ୟ ବନ୍ଧା ଯାଇନି ।ଏପରିକି ଯେତେ ବେଳେ ୪ ଦୋଷୀ ଶୌଚାଳୟକୁ ଯାଉଛନ୍ତି, ସେମାନଙ୍କ ମୁଣ୍ଡ ଏକ ଛୋଟ କାନ୍ଥ ସେପଟୁ ଦେଖାଯାଉଛି । ଅର୍ଥାତ ଶୋଚାଳୟ ଗୁଡିକ ଅଧାକାନ୍ଥର ପାର୍ଟିସନ ଦ୍ବାରା ତିଆରି ହୋଇଛି ।

 ପ୍ରତିଦିନ ୪ ଦୋଷୀଙ୍କ ଜେଲ୍‌ କୋଠରୀ ଦୁଇଥର ଲେଖାଁଏ ଯାଞ୍ଚ ହେଉଛି ।କାଳେ ସ୍ୱତନ୍ତ୍ର କୋଠରୀରୁ ସେମାନେ ଖସିବାକୁ କିଛି ଉପାୟ କରିବେ , ସେହି ଆଶଙ୍କାରେ ସେହି କୋଠରୀ ସବୁ ତନ୍ନତନ୍ନ କରି ଯାଞ୍ଚ ହେଉଛି . ପ୍ରତିଟି ସ୍ବତନ୍ତ୍ର ସେଲ୍‌ରେ ଦୁଇଟି ଲେଖାଁଏ ସିସିଟିଭି କ୍ୟାମେରା ଲାଗିଛି । ସେହି ସିସିଟିଭି ଫୁଟେଜ ୨୪ ଘଣ୍ଟା ଧରି ଯାଞ୍ଚ ହେଉଛି । ଜେଲ୍‌ ସୁପରିଟେଣ୍ଡେଣ୍ଟ ଏବଂ ଜେଲ ପ୍ରଶାସନ କାର୍ଯ୍ୟାଲୟରୁ ସେହି ସିସିଟିଭି ଫୁଟେଜର ମନିଟରିଂ କରାଯାଉଛି ।

ସ୍ବତନ୍ତ୍ର ସେଲ୍‌ରେ ସେପରି କିଛି ସୁବିଧା ନଥିବାରୁ କଏଦୀ ମାନେ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିପାରନ୍ତି ବା କ୍ଷତାକ୍ତ ହୋଇ ଫାଶୀ ଦଣ୍ଡକୁ ଘୁଞ୍ଚାଇ ପାରନ୍ତି । ଏହା କଏଦୀ ମାନେ କରୁଥିବା ଏକ ସାଧାରଣ ଉପାୟ । ତେବେ ସେଥିଲାଗି କଡା ନଜର ରଖିଛନ୍ତି ଜେଲ୍‌ ଗାର୍ଡ ।ନିର୍ଭୟା ଦୋଷୀଙ୍କ ଉପରେ ୨୪ ଘଣ୍ଟିଆ ପହରା ଦେଉଥିବା ଜେଲ୍‌ କର୍ମଚାରୀ ଏପରି ଦେଖିଲେ, କେଇ ସେକେଣ୍ଡରେ ସେଥିରେ ହସ୍ତକ୍ଷେପ କରି ସେଲ୍‌ଭିତରେ ପଶି ଦୋଷୀଙ୍କୁ ସେପରି ଆତ୍ମହତ୍ୟା ଉଦ୍ୟମରୁ ବିରତ କରିବାକୁ ନିର୍ଦ୍ଦେଶ ରହିଛି ।

 ଏହାସହ ପ୍ରତିଦିନ ୪ ନିର୍ଭୟା ଦୋଷୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜେଲ୍‌ ପ୍ରଶାସନକୁ ରିପୋର୍ଟ କରାଯାଉଛି । ଜେଲ୍ ଡାକ୍ତର ଏହା କରୁଛନ୍ତି ।ଦୋଷୀ ମାନଙ୍କ ଶାରିରୀକ ସ୍ୱାସ୍ଥ୍ୟ ସହ ମାନସିକ ଅବସ୍ଥା, ସ୍ଥିତିର ପରୀକ୍ଷା ଏବଂ ଯାଞ୍ଚ ମଧ୍ୟ ନିୟମିତ ଭାବେ ହେଉଛି । ସୂଚନା ଯୋଗ୍ୟ ଯେ,୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀଙ୍କୁ ଡିସେମ୍ବର ୧୬, ୨୦୧୨ରେ ଏକ ଚଳନ୍ତା ବସ୍‌ରେ ଦୁଷ୍କର୍ମ ପରେ ଲୁହାରଡ୍‌ରେ ଅମାନୁଷିଭାବେ ହତ୍ୟା କରିବାକୁ ଉଦ୍ୟମ କରି ଗୁରୁତର ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ ୬ ଜଣ ଦୁର୍ବୃତ୍ତ ।ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ବି ଗୁରୁତର କରିଦେଇଥିଲେ ସେମାନେ । ପରେ ପୀଡିତାଙ୍କର ମୃତ୍ୟୁ ହୋଇଥିଲା । ଏହି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ରାମ ସିଂ ମାମଲାର ବିଚାର ଶେଷ ପୂର୍ବରୁ ୨୦୧୩,ମାର୍ଚ୍ଚ ୧୧ ତାରିଖ ଦିନ ତିହାର ଜେଲ୍‌ର ଜେନେରାଲ ୱାର୍ଡ ସ୍ଥିତ ଗାଧୁଆ ଘରେ ଆତ୍ମହତ୍ୟା କରିଥିଲା । ଅନ୍ୟ ଦୋଷୀ ନାବାଳକ ଥିବାରୁ କୋର୍ଟ ତାକୁ ୩ ବର୍ଷ ବାଳସୁଧାର ଜେଲ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଅବଶିଷ୍ଟ ୪ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ମୃତ୍ୟୁ ଦଣ୍ଡ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ନିୟମାନୁଯାୟୀ ସୁସ୍ଥ, ସୁରକ୍ଷିତ ରଖିବାଲାଗି ତିହାର କର୍ତ୍ତୁପକ୍ଷ ସମସ୍ତ ପଦକ୍ଷେପ ନେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.