ମାହାଙ୍ଗା ଡବଲ୍ ମର୍ଡରର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ, ହତ୍ୟା ପଛରେ ରାଜନୈତିକ ଶତ୍ରୁତା କାରଣ ଦର୍ଶାଇ ଥାନା ଘେରାଉ କଲା ବିଜେପି

Published By : Prameya-News7 Bureau | January 05, 2021 IST

ମାହାଙ୍ଗା ୦୫/୦୧ : ମାହାଙ୍ଗା ରେ ଡବଲ୍ ମର୍ଡରର ପର୍ଦ୍ଦାଫାଶ। ଗତକାଲି ବିଳମ୍ବିତ ରାତିରେ ୫ ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଅଭିଯୁକ୍ତଙ୍କୁ  ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀକୁ ନେଇ  ଆଜି କଟକ ଅତିରିକ୍ତ ଏସପି ଘଟଣା  ସ୍ଥଳକୁ ଯାଇ ଛାନଭିନ କରିଛନ୍ତି। ସେପଟେ ହତ୍ୟା ପଛରେ ରାଜନୈତିକ କାରଣ ଥିବା ଏବଂ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଅଭିଯୋଗରେ ବିଜେପି ଯୁବ ମୋର୍ଚ୍ଚା ସାରା ରାଜ୍ୟରେ ଥାନା ଘେରାଇ କରିଛି। କଂଗ୍ରେସ ଆଇନ ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରାଉ କରିଥିଲା । ଏପଟେ ବିରୋଧୀ ଘଟଣାରେ ଅଯୋଥା ରାଜନୀତି କରୁଥିବା କହି ଜବାବ ରଖିଛି ବିଜେଡି ।

କ୍ରାଇମ ସିନରେ ମାହାଙ୍ଗା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ତନାଘନା ବେଳେ ନଦୀକୂଳରୁ ମିଳିଲା ଖଣ୍ଡା। ଏଇ ଖଣ୍ଡାରେ କୁଆଡ଼େ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା।  ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ନୀଳ ଟାଓଲରେ ମୁହଁ ଘୋଡାଇ ଥିବା ଏହି ଅଭିଯୁକ୍ତ ମାନେ  ହେଲେ ପଂଚାନନ ସେଠୀ , ଅରବିନ୍ଦ ଖଟୁଆ ଓରଫ୍ ଅରୁ, କ୍ଷିତୀଶ ଆଚାର୍ଯ୍ୟ, ଲଳିତ ମୋହନ ବରାଳ । ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସଂହ ବରାଳଙ୍କୁ କେମିତି ଓ କେଉଁଥିରେ ହତ୍ୟା କଲେ ତାର ଡେମୋ ଦେଖାଇଛି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ । ଦୁଇଜଣଙ୍କୁ କିପରି ଅଭିଯୁକ୍ତ ମାନେ ନିର୍ମମ ଭାବେ ହତ୍ୟାକଲେ ତାର ରିକ୍ରିଏସନ ସିନ କରି ପୋଲିସକୁ ଦେଖାଇବା ସହ ସବୁ ବଖାଣିଛି ମୁଖ୍ୟ ଅଭିଯୁକ୍ତ । ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶିଘ୍ର ଧରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି । ତେବେ ହତ୍ୟା ପଛର କାରଣ କଣ ସେନେଇ ଅଧିକ ତଦନ୍ତ ପରେ କୁହାଯିବ ବୋଲି ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସି ।

ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ପଛରେ ରାଜନୈତିକ ଅଭିସନ୍ଧି ଥିବା ଅଭିଯୋଗ ଓ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ କରି ଦୁଇ ଦିନ ହେଲା ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ଏହେଉଛି ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ । ସାରା ରାଜ୍ୟରେ ବିଭିନ୍ନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।   ଘଟଣାରେ ସଂପୃକ୍ତ ଶାସକ ଦଳର ନେତାଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି । ଆଉ ଏ ହେଉଛି କଂଗ୍ରେସର ପ୍ରତିବାଦ ।  ମାହାଙ୍ଗା ବିଧାୟକ ତଥା ଆଇନମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା କଂଗ୍ରେସ। ବିରୋଧୀଙ୍କ ପ୍ରତିବାଦର ଜବାବ ରଖିଛି ବିଜେଡି । ବିଜେଡି ଅପରାଧୀଙ୍କୁ ପ୍ରଶୟ ଦିଏ ନାହିଁ । କୁନ୍ଦୁଲି, ଇତିଶ୍ରୀ , ପରୀ ଘଟଣାରେ ବିଜେପି କିଭଳି ରାଜନୀତି କରିଛି, ତାହା ସାରା ଓଡିଶାକୁ ଜଣାଅଛି ବୋଲି ବିଜେଡି କହିଛି।  ନିର୍ବାଚନରେ ଲୋକେ ଏମାନଙ୍କୁ ଠିକ ଫଳ ଦିଅନ୍ତି ବୋଲି ଜବାବ ଦେଇଛି ବିଜେଡି।

ହତ୍ୟାକାଣ୍ଡର ୪୮ ଘଣ୍ଟାରେ ପୋଲିସ ୪ ଜଣଙ୍କୁ ଗିପଫ କରିଛି ସତ, ହେଲେ ଏଥିରେ ଆଉ କେଉଁମାନେ ସଂପୃକ୍ତ ଓ ହତ୍ୟାକାଣ୍ଡ କଣ ପାଇଁ ଘଟିଲା  ତା ଉପରୁ ପରଦା ଉଠିପାରିନାହିଁ। ଯାହାକୁ ନେଇ ବିରୋଧୀ ପୁଣି ରାସ୍ତାକୁ ଓହ୍ଲାଇବାକୁ ତୟାର ହେଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.