୨୪ଘଣ୍ଟାରେ ୩ଭଉଣୀଙ୍କ ମୃତ୍ୟୁ : ଚାଉଳ ବସ୍ତାରେ ଲାଗିଥିଲା କୀଟନାଶକ ,ଅଣନିଃଶ୍ବାସୀ ହୋଇଗଲେ ଅଜା,ଆଈ ଓ ୩ନାତୁଣୀ
28/12/2019 at 2:23 PM

ବ୍ରହ୍ମପୁର ୨୮/୧୨: ୩ଭଉଣୀ ଆଗପଛ ହୋଇ ଚାଲିଗଲେ । ମାତ୍ର ୨୪ଘଣ୍ଟା ଭିତରେ ଗୋଟିଏ ପରିବାରର ୩ନାବାଳିକାଙ୍କ ମୃତ୍ୟୁ କେବଳ ବେଦନାଦାୟକ ନୁହେଁ ବରଂ ମର୍ମାନ୍ତକ ହୋଇଛି। ଗଞାମ ଜିଲ୍ଲା ବି. ତୁରୁବୁଡି ଗାଆଁରେ ଘଟିଛି ଏହି ଅଭାବନୀୟ ଘଟଣା ।ଚାଉଳ ଭିତରେ ରଖାଯାଇଥିବା କୀଟନାଶକରୁ ନିର୍ଗତ ବିଷାକ୍ତ ଗ୍ୟାସରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ୩ ନାବାଳିକା। କିଛି ଘଣ୍ଟା ବ୍ୟବଧାନରେ ଘରେ ଓ ଡାକ୍ତରଖାନାରେ ସେମାନଙ୍କର ମୃତ୍ୟୁ ହୋଇଛି।

ଗଞ୍ଜାମ ତୁରୁବୁରେଇ ଗାଁର ଏଲ. ପବିତ୍ର ରେଡ୍ଡିଙ୍କ ଝିଅ ବର୍ଷା ଓ ସୋନା ଏବଂ ସେମାନଙ୍କ ଦାଦା ଝିଅ ଭଉଣୀ ଟିକିନା ବି.ତୁରୁବୁଡ଼ି ଗ୍ରାମର ମୋହନ ରେଡ୍ଡିଙ୍କ ଘରେ ରହି ପାଠ ପଢ଼ୁଥିଲେ। ମୋହନ ସେମାନଙ୍କ ମାମୁଁ ଅଜା।ବର୍ଷାଙ୍କ ବୟସ ୧୦ବର୍ଷ ହୋଇଥିବାବେଳେ ସୋନା ଓ ଟିକିନାଙ୍କ ବୟସ ୭ବର୍ଷ ଓ ୬ବର୍ଷ। ଗୁରୁବାର ରାତିରେ ଅଜାଆଈଙ୍କ ସହ ୩ନାବାଳିକା କୀଟନାଶକ ଯୁକ୍ତ ଚାଉଳସଂସ୍ପର୍ଶରେ ଆସିଥିଲେ।

ଏହା ପରେ ସେମାନେ ବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ। ଶୁକ୍ରବାର ସକାଳେ ଜଣେ ନାବାଳିକା ଡାକ୍ତରଖାନା ଯିବା ବାଟରେ ଗାଁରେ ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଓ ଅନ୍ୟ ଜଣେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ୩ନାବାଳିକାଙ୍କ ଅଜା ମୋହନ ରେଡ୍ଡି ଓ ଆଈ କସ୍ତୁରୀ ରେଡ୍ଡି ମଧ୍ୟ କୀଟନାଶକଯୁକ୍ତ ଚାଉଳ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇଛନ୍ତି। ଏବେ ସେମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।