ତୃତୀୟ ଦିନରେ ଫୋନି କ୍ଷୟକ୍ଷତି ଆକଳନ କରିବେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର ୧୫|୫: ତୃତୀୟ ଦିନରେ ଫୋନି କ୍ଷୟକ୍ଷତି ଆକଳନ କରିବେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ । ଆଜି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ । ପରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିବେ । ତାହା ପରେ ସେମାନେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ କେନ୍ଦ୍ରୀୟ ଦଳ ଆସିଥିବା ୧୧ଜଣିଆ କେନ୍ଦ୍ରୀୟ ଟିମ୍ ଗତକାଲି ଦ୍ବିତୀୟ ଦିନରେ ଦୁଇ ଭାଗରେ ବିଭକ୍ତ ହୋଇ ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଗୋଟିଏ ଟିମରେ ୬ଜଣ ସଦସ୍ୟ ପ୍ରଥମେ ପୁରୀ ଜିଲ୍ଲା ନିମାପଡାର ବାମନାଲ ଓ ଓକୁପୁର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ଭାଙ୍ଗି ଯାଇଥିବା ବିଭିନ୍ନ ଘର ବୁଲି ଦେଖିଥିଲେ ।

ସେହିଭଳି ଟିମ୍ ସତ୍ୟବାଦୀ, ବଳପୁର ଓ ସାରଙ୍ଗଯୋଡି ଅଞ୍ଚଳରେ କ୍ଷତିଗ୍ରସ୍ତ ନଡିଆ ଚାଷ ଅନୁଧ୍ୟାନ କରିଥିଲେ । ପରେ ଗୋପ ବ୍ଲକର ଇତିଭୁଆ ଗାଁ ବୁଲି ଦେଖିବା ସହ ପୁରୀ ମ୍ୟୁନିସପାଲଟି ଅଞ୍ଚଳର ପେଣ୍ଠକଟାରେ ମତ୍ସ୍ୟଜୀବୀଙ୍କ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ । ସେହିପରି ଆଉ ଗୋଟିଏ ଟିମରେ ସଦସ୍ୟମାନେ କଟକ ଜିଲ୍ଲାର କଣ୍ଟାପଡା ଓ ନିଆଳି ବ୍ଲକର ବିଭିନ୍ନ ଗାଁ ବୁଲିଥିଲେ ।  କଟକ ଜିଲ୍ଲାପାଳଙ୍କ ନେତୃତ୍ବରେ କେନ୍ଦ୍ରୀୟ ଟିମର ସଦସ୍ୟମାନେ କଣ୍ଟାପଡ଼ା ବ୍ଲକ୍‌ର ବାଇରୋଇ ଗାଁର ମଲ୍ଲିକ ସାହି ଓ ଭୋଇ ସାହି ପରିଦର୍ଶନ କରିଥିଲେ ।

ବାତ୍ୟାରେ ଭାଙ୍ଗିଥିବା ଘର ଦେଖିବା ସହ ରିଲିଫ୍ ସାମଗ୍ରୀ ମିଳିଛି ନା ନାହିଁ ଲୋକଙ୍କୁ ପଚାରି ବୁଝିଥିଲେ । ପରେ ଅଡଶପୁର ପଞ୍ଚାୟତର ସଳେଇ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ନିଆଳି ଯାଇ କପିଳେଶ୍ବର ଗାଁରେ ବାତ୍ୟା କ୍ଷୟକ୍ଷତି ନେଇ ଅନୁସନ୍ଧାନ କରିଥିଲେ । ସେହିଭଳି ମାଧବ ପଞ୍ଚାୟତର ମୁଣ୍ଡାସାହି, ବାଲିସାହି, ରତନପୁର ପଞ୍ଚାୟତର ବାଘସାହି, କୋଟାପଡା ଓ ଭୋଇସାହିରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ସେହିଭଳି ଏହି ଟିମ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଅଞ୍ଚଳର ବିଭିନ୍ନ ଗାଁର କ୍ଷୟକ୍ଷତି ଆକଳନ କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.