ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପାଇଁ ନିର୍ମାଣ ହେଉଥିବା ହେଲିପ୍ୟାଡ ଲାଗି ୩ହଜାର ମୂଲ୍ୟବାନ ଗଛ କଟାଯିବା ଘଟଣା; ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ
13/01/2019 at 5:52 PM
ଭୁବନେଶ୍ବର ୧୩|୧; ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପାଇଁ ନିର୍ମାଣ ହେଉଥିବା ହେଲିପ୍ୟାଡ ଲାଗି ୩ହଜାର ମୂଲ୍ୟବାନ ଗଛ କଟାଯାଇଛି। ଯାହାକୁ ନେଇ ବଲାଙ୍ଗିରଠାରୁ ଭୁବନେଶ୍ବର ଯାଏଁ ଲମ୍ବିଛି ଆକ୍ସନ ରିଆକ୍ସନ । ଗଛ କଟା ପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଖେଳିଥିବା ବେଳେ କଂଗ୍ରେସ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି। ଏପଟେ ବିଜେପି ପିଡବ୍ଲୃଡି ବିଭାଗକୁ ଦୋଷ ଦେଇଥିବାବେଳେ ବିଜେଡି ସୁରକ୍ଷାର ଆଳ ଦେଖାଇଛି।

୩ହଜାର ଗଛ କଟାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଟାଯାଇଛି ୩ ହଜାର ଗଛ। ବଲାଙ୍ଗୀର ରେଳ ଷ୍ଟେସନ ପଛପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧରଣସଭାର ଆୟୋଜନ କରାଯାଇଛି ।

ସେଥିପାଇଁ ହେଲିପ୍ୟାଡ ନିର୍ମାଣ କରାଯାଉଛି। ତେବେ ହେଲିପ୍ୟାଡ଼ ତିଆରି ପାଇଁ ଅର୍ବାନ ବନୀକରଣ ଯୋଜନାରେ ଲାଗାଯାଇଥିବା ମୂଲ୍ୟବାନ ଗଛସବୁକୁ କାଟିଦିଆଯାଯଇଛି। ନିମ୍ବ, ଶିଶୁ, କରଞ୍ଜ, ଗମ୍ଭାରୀ ଭଳି ୩୦୦୦ ଗଛକୁ ମାଟିରେ ମିଶାଇଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖଦେଇଛି।

ଏତେ ସଂଖ୍ୟରେ ଗଛ କଟାଯାଇଛି ହେଲେ ଡିଏଫଓ କିମ୍ବା ଇଷ୍ଟକୋଷ୍ଟ ରେଲଓ୍ବେ ପାଖରେ ଖବର ନାହିଁ। ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତଦନ୍ତ କଥା ଉଭୟ ଅଫିସରଙ୍କର ମନେପଡିଛି ।

ହେଲିପ୍ୟାଡ ପାଇଁ ୩ହଜାର ଗଛ କାଟିବା ଘଟଣା ସାମ୍ନାକୁ ଆସିବା ବରେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ କାଠଗଡାକୁ ଟାଣିଛି। ଢ଼େଙ୍କାନାଳରେ ବିୟର ଫ୍ୟାକ୍ଟି ପାଇଁ ଗଛ କଟା ବେଳେ ବିଜେପି ନେତାଏ ଫଟୋ ଉଠାଇ ହୋହଲ୍ଲା କରୁଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ।

ହେଲେ ଏଠି ଉଭୟ କାହିଁକି ନିରବ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏହା ଦୁହିଁଙ୍କ ମଧ୍ୟରେ ଭିତ୍ତିରି ବୁଝାମଣାର ପ୍ରମାଣ ବୋଲି କହିଛି। ଏପଟେ ବିଜେପି ପିଡବ୍ଲ୍ୟୁଡି ବିଭଗ ଉପରେ ଦୋଷ ଲଦିଛି। ଆଉ ବିଜେଡି କହିଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଯାହା ପଦକ୍ଷେପ ନିଆଯାଉଛି। ସେପଟେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରରେ ନ ଓହ୍ଲାଇ ସିଧା ରାୟପୁରରୁ ବଲାଙ୍ଗିର ଆସିବାକୁ ନେଇ ମଧ୍ୟ ଦେଖାଦେଇଛି ଆରୋପ ପ୍ରତ୍ୟାରୋପର ରାଜନୀତି।
