ହଷ୍ଟେଲ୍ରେ ପଶିଲା କରୋନା, ୩୯ ଛାତ୍ରଛାତ୍ରୀଙ୍କ ସମେତ ୫ ଷ୍ଟାଫ୍ କୋଭିଡ୍ ସଂକ୍ରମିତ
23/02/2021 at 10:02 PM

ମୁମ୍ୱାଇ, ୨୩/୦୨: ମହାରଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏଥିରୁ ବର୍ତ୍ତିବା ପାଇଁ ସରକାର ୫ଟି ଜିଲ୍ଲାରେ ଲକ୍ଡାଉନ୍ ଲଗାଇଛନ୍ତି । ମହାରାଷ୍ଟ୍ରର ଲାଟୁର୍ ସହରର ଏକ ହଷ୍ଟେଲ୍ରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ଲାଟୁର୍ର ଏହି ହଷ୍ଟେଲ୍ରେ ରହୁଥିବା ୩୯ ଜଣ ଛାତ୍ରଛାତ୍ରୀଙ୍କ ସମେତ ୫ ଜଣ କର୍ମଚାରୀ କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସରକାରୀ ସୂତ୍ରରୁ ମଙ୍ଗଳବାର ପ୍ରକାଶ କରାଯାଇଛି । ହଷ୍ଟେଲ୍ର ୩୬୦ ଜଣ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେଥିରୁ ନବମ ଏବଂ ଦଶମ ଶ୍ରେଣୀର ୩୯ ଜଣ ଏଥିରେ ସଂକ୍ରମିତ ହୋଇଥିବା ଲାଟୁର୍ ମ୍ୟୁନିସ୍ପାଲ୍ କର୍ପୋରେସନ୍ର ସ୍ୱାସ୍ଥ୍ୟ ଅଧିକାରୀ ମହେଶ୍ ପାଟିଲ୍ କହିଛନ୍ତି ।
ହଷ୍ଟେଲ୍ରେ ୬୦ ଜଣ ଶିକ୍ଷକ ଏବଂ ଅଣ-ଶିକ୍ଷକ କାର୍ଯ୍ୟ କରୁଥିଲେ । ସେମାନଙ୍କମଧ୍ୟରୁ ୩୦ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ୫ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତେବେ ଅନ୍ୟ ଷ୍ଟାଫ୍ ମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ଆସିନଥିବା କୁହାଯାଇଛି ।
ତେବେ ହଷ୍ଟେଲ୍ରେ ଜଣେ ଛାତ୍ରୀଙ୍କର ପ୍ରଥମେ କରୋନା ଟେଷ୍ଟ କରାଯାଇଥିବା ବେଳେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏହାପରେ ଉକ୍ତ ଛାତ୍ରୀଙ୍କ ରୁମ୍ରେ ରହୁଥିବା ୧୩ ଜଣ ଛାତ୍ରୀ ସଂକ୍ରମିତ ହୋଇଥିବା ଶ୍ରୀ ପାଟିଲ୍ କହିଛନ୍ତି । ଏହି ସଂକ୍ରମିତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ସହର ନିକଟରେ ଥିବା ଏକ ସରକାରୀ ହଷ୍ଟେଲ୍ରେ କ୍ୱାରେଣ୍ଟିନ୍ରେ ରଖାଯାଇଥିବା ଜଣାପଡ଼ିଛି ।