ଶେଷ ଓଭରରେ ଦରକାର ଥିଲା ୩୫ ରନ, ଆୟରଲାଣ୍ଡ ବ୍ୟାଟସମ୍ୟାନ ମାରିଲେ ୬ ଛକା

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ ୧୭।୦୭: କ୍ରିକେଟ୍ ସର୍ବଦା ଏକ ଅନିଶ୍ଚିତତାର ଖେଳ। କେତେବେଳେ ଏବଂ କେଉଁ ଓଭରରେ ମ୍ୟାଚ୍‌ର ଗତିପଥ ବଦଳିଯିବ ତାହା କହିବା ବହୁତ ମୁସ୍କିଲ। ଜିତୁ ଜିତୁ ଦଳ ମ୍ୟାଚ୍ ହାରୁଛି ତ, ହାରୁ ହାରୁ ମଧ୍ୟ ଜିତି ଯାଉଛି। କେତେବେଳେ ଗୋଟିଏ ଓଭରରେ ହ୍ୟାଟ୍ରିକ ଓ୍ଵିକେଟ୍ ଯାଉଛି ତ ଆଉ କେତେବେଳେ ହେଉଛି ଛକାର  ବର୍ଷା। କ୍ରିକେଟ୍‌କୁ କାହିଁକି ଅନିଶ୍ଚିତତାର ଖେଳ କୁହାଯାଏ ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି।

ଆୟରଲାଣ୍ଡରେ ଏକ କ୍ଲବସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କେଗ୍ରାଘ ଓ ବାଲିମେନା ମଧ୍ୟରେ ଖେଳ ଚାଲିଥିଲା। ଶେଷ ଓଭରରେ ବାଲିମେନାକୁ ଜିତିବା ପାଇଁ ଦରକାର ଥିଲା ୩୫ ରନ। ଲାଗୁଥିଲା କେଗ୍ରାଘ ସହଜରେ ମ୍ୟାଚ୍ ଜିତି ନେବ। ମାତ୍ର ଏମିତି  ହୋଇନଥିଲା। ଜନ ଗ୍ଲାସ୍  ଶେଷ ୬ ବଲରେ ଗୋଟିଏ ପରେ ଗୋଟିଏ ୬ ଛକା  ମାରି ଚାଲିଲେ। ଆଉ ରୋମାଞ୍ଚକ ଅନ୍ଦାଜରେ ବାଲିମେନାଙ୍କୁ ୩ ଓ୍ଵିକେଟ୍‌ରେ ଜିତାଇଲେ। ଏଥିସହ ବାଲିମେନା ଲଗାନ ଭ୍ୟାଲି ଷ୍ଟିଲ୍ସ ୨୦୨୧ର ଟ୍ରଫି ହାତେଇବାରେ ସଫଳ ହୋଇଛି।

ବାଲିମେନା ୧୯ ଓଭର ସୁଦ୍ଧା ୭ ଓ୍ଵିକେଟ୍‌ରେ ୧୧୩ ରନ କରି ପରାଜୟର ଦ୍ଵାର ଦେଶରେ ଥିଲା। ଶେଷ ଓଭରରେ ଜିତିବା ପାଇଁ ଦଳକୁ ୩୫ ରନ ଦରକାର ଥିଲା। ହେଲେ ଶେଷ ଓଭରରେ ହିଁ ମ୍ୟାଚ୍‌ର ମିଜାଜ ଓ ଗତିପଥ ବଦଳିଗଲା। କ୍ରିଜରେ ଥିଲେ  ଅଧିନାୟକ ଜନ ଗ୍ଲାସ। ସେ ୫୧ ରନ କରି ବ୍ୟାଟିଂ କରୁଥିଲେ। ଶେଷ ୬ ବଲରେ ୬ ଛକା ମାରି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି। ଆଉ କେଗ୍ରାଘ ହାତରୁ ବିଜୟ ଛଡାଇ ଆଣିଛନ୍ତି। ସେ ଅପରାଜିତ ୮୭ ରନର ଇନିଂସ ଖେଳି ମ୍ୟାଚ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

wp:html /wp:html

ଏହା ପୂର୍ବରୁ କେଗ୍ରାଘ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ରେ ୧୪୭ ରନ କରିଥିଲା। ଦଳ ପକ୍ଷରୁ ଜେ.ମୁର ୫୨, ଜେ ହଣ୍ଟର  ୪୦ ରନର ଇନିଂସ ଖେଳିଥିଲେ। ପ୍ରତିପକ୍ଷ ଦଳ ପକ୍ଷରୁ ଜନ ଭାଇ ଏସ ଗ୍ଲାସ ହ୍ୟାଟ୍ରିକ ସହ ୫ ଓ୍ଵିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଗୋଟିଏ ଓଭରରେ ୬ ଛକା ମାରିବାର କାରନାମା ଅନେକ ବ୍ୟାଟସମ୍ୟାନ କରି ସାରିଛନ୍ତି। ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ, ଦକ୍ଷିଣ ଆଫ୍ରିକା  ବ୍ୟାଟସମ୍ୟାନ ହର୍ଶଲ ଗିବ୍ସ, ଓ୍ଵେଷ୍ଟଇଣ୍ଡିଜର କିରଣ ପୋଲାର୍ଡ, ଶ୍ରୀଲଙ୍କାର ଥିସାରା ପେରେରା ଓ ଭାରତୀୟ କୋଚ୍ ରବି ଶାସ୍ତ୍ରୀଙ୍କ ପରି ଖେଳାଳି ଏହି ତାଲିକାରେ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.