ନୂଆଦିଲ୍ଲୀ ୨୧।୩: ଭାରତୀୟ ସେନାବାହିନୀର ଜଣେ ଯବାନ କରୋନା ଭାଇରସରେ ସଂକ୍ରମିତ ହେବା ପରେ ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରଓ୍ବଣେ ଶୁକ୍ରବାର ଦିନ ଏହି ସଂକ୍ରମଣର ମୁକାବିଲା ପାଇଁ ସେନାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେନାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଡଭାଇଜରୀ ଜାରି କରାଯାଇଛି । ନୂଆ ଆଡଭାଇଜରୀ ଅନୁଯାୟୀ, ମାର୍ଚ୍ଚ ୨୩ରୁ ୩୫% ସେନା ଅଧିକାରୀ ଏବଂ ୫୦% ଜୁନିଅର କମିଶନ ଅଫିସର (JCO) ଏକ ସପ୍ତାହ ପର୍ଯ୍ୟନ୍ତ ଘରେ ରହିବା ସହ ଘରୁ କାମ କରିବେ | ଜେନେରାଲ ନରବଣେ କହିଛନ୍ତି ଯେ, ସେନାର ପ୍ରଥମ ଗୋଷ୍ଠୀ ୨୩ ମାର୍ଚ୍ଚରୁ ଆଇସୋଲେସନରେ ଯିବେ। ଏହାପରେ ଦ୍ବିତୀୟ ଗୋଷ୍ଠୀର ଘରୋଇ ଆଇସୋଲେସନ ମାର୍ଚ୍ଚ ୩୦ରୁ ଆରମ୍ଭ ହେବ |
ସେନା ମୁଖ୍ୟାଳୟରେ କର୍ମଚାରୀ ଏବଂ ଅଧିକାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୨୩ ରୁ କେବଳ ଜରୁରୀକାଳୀନ ସେବା ସହିତ ଜଡିତ ଥିବା ବ୍ୟକ୍ତିମାନେ ସେନା ମୁଖ୍ୟାଳୟକୁ ଆସିବେ | ଏହାସହିତ ସେନା ମୁଖ୍ୟାଳୟରେ ଭିଡ ନହେବା ନେଇ ଅଫିସ ସମୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | ଏହି ଅନୁଯାୟୀ, କାର୍ଯ୍ୟାଳୟ ପ୍ରଥମ ଥର ସକାଳ ୯ ଟାରୁ ସନ୍ଧ୍ୟା ୫ଟା ୩୦ ଏବଂ ଦ୍ବିତୀୟ ଥର ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ସେନା ଦ୍ବାରା ଜାରି କରାଯାଇଥିବା ଆଡଭାଇଜରୀରେ ଏକ ବିଶେଷ ଉଲ୍ଲେଖ ରହିଛି ଯେ, ପୃଥକ ପୃଥକ ଭାବରେ ଆଇସୋଲେସନରେ ଯାଉଥିବା ଗୋଷ୍ଠୀ ପରସ୍ପରକୁ ଭେଟିବାଠାରୁ ଦୂରେଇ ରହିବେ ଏବଂ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଯୋଗାଯୋଗରେ ରହିବେ ।
ନୂତନ ଆଡଭାଇଜରୀପେ ସେନାରେ ସ୍ଥାନାନ୍ତର ଏବଂ ପୋଷ୍ଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି । ସମସ୍ତ ପଦବୀର ଅସ୍ଥାୟୀ ଡ୍ୟୁଟି ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ବାତିଲ ହୋଇଛି କିମ୍ବା ଏହାକୁ ରିସିଡ୍ୟୁଲ କରାଯାଇଛି। ଏଥି ସହିତ, ପୂର୍ବରୁ ଛୁଟିରେ ଥିବା ଯବାନମାନଙ୍କ ଛୁଟି ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଅଧିକାରୀଙ୍କୁ କୌଣସି ଆସାଇନମେଣ୍ଟରେ ବିଦେଶ ଯାତ୍ରୀ ଉପରେ ରୋକ୍ ଲଗାଯାଇଛି । ସେନା ସମସ୍ତ କନଫରେନ୍ସ ଏବଂ ସେମିନାରକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଏଥିସହିତ ସେନାର ବାର୍ଷିକ ମେଡିକାଲ ପରୀକ୍ଷା (AME) ଏବଂ ପର୍ଯ୍ୟାୟିକ ମେଡିକାଲ ପରୀକ୍ଷା (PME) ମଧ୍ୟ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।