କ୍ଵାରେଣ୍ଟାଇନ୍ କେନ୍ଦ୍ରରୁ ଫେରାର ହେଲେ ୩୫ କରୋନା ସନ୍ଦିଗ୍ଧ, ପ୍ରଶାସନର ନିଦ ହଜିଲା

Published By : Prameya-News7 Bureau | April 02, 2020 IST

ଲକ୍ଷ୍ନୌ ୦୨।୦୪: ଉତ୍ତର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ ସରକାର ଓ ପ୍ରଶାସନ କରୋନା ବ୍ୟାପିବାକୁ ରୋକିବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ୨୧ ଦିନିକିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ, ଯାହା ଏପ୍ରିଲ ୧୪ରେ ଶେଷ ହେଉଛି। ଏହା ମଧ୍ୟରେ ୟୁପିର ହାଥରସ୍‌ ଜିଲ୍ଲାରୁ ଆସିଛି ବଡ ଖବର। ଏଠାରେ ଏକ କ୍ଵାରେଣ୍ଟାଇନ୍ କେନ୍ଦ୍ରରୁ ପ୍ରାୟ ୩୫ କରୋନା ସନ୍ଦିଗ୍ଧ ଫେରାର ହୋଇ ଯାଇଛନ୍ତି।

ସୂଚନା ମୁତାବକ, ହାଥରସ୍‌ ଜିଲ୍ଲାର ଥାନା ସାଦାବାଦ କ୍ଷେତ୍ରର କସବା ବିସାଓ୍ଵରର ପ୍ରାଥମିକ ବିଦ୍ୟାଳୟରେ ଅନ୍ୟ ରାଜ୍ୟରୁ ଆସିଥିବା ୩୫ ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା। ମାତ୍ର ପ୍ରଶାସନର ଅବହେଳା କାରଣରୁ ସମସ୍ତ ରୋଗୀ ରାତାରାତି ଚକମା ଦେଇ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଏହି  ଘଟଣା ସାମ୍ନାକୁ ଆସିବା ପରେ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହୂଛନ୍ତି।

ଉଲ୍ଲେଖଯୋଗ୍ୟ, ହାଥରସର ଥାନା ସାଦାବାଦ କ୍ଷେତ୍ରର କସବା ବିସାଓ୍ଵରରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କୁ ପ୍ରାଥମିକ ବିଦ୍ୟାଳୟରେ କ୍ଵାରେଣ୍ଟାଇନରେ ରଖାଯାଇଥିଲା। ଜିଲ୍ଲା ପ୍ରଶାସନ ଦ୍ଵାରା ଏହି ଲୋକଙ୍କ ରହିବା ଓ ଖାଇବା ସହିତ ଅନ୍ୟ ବ୍ୟବସ୍ଥା ପାଇଁ ପଞ୍ଚାୟତ ସଚିବଙ୍କୁ ଦାୟିତ୍ଵ ଦିଆଯାଇଥିଲା। ମାତ୍ର ରାତିରେ ଭୋଜନ ସରିବା ପରେ ପଞ୍ଚାୟତ ସଚିବ ଯେମିତି ବିଦ୍ୟାଳୟରୁ ବାହାରିଲେ, ଏହି ସୁଯୋଗର ଫାଇଦା ଉଠାଇ ସନ୍ଦିଗ୍ଧ ରୋଗୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି।

ଜିଲ୍ଲାପାଳ ପ୍ରବୀଣ କୁମାର ଲକ୍ଷକାର ଫେରାର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପଟେ କାର୍ଯ୍ୟରେ ଅବହେଳା ପାଇଁ ପଞ୍ଚାୟତ ସଚିବଙ୍କୁ ତତ୍କାଳ ପ୍ରଭାବରୁ କାର୍ଯ୍ୟରୁ  ନିଲମ୍ବିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.