ସାପ କାମୁଡାରେ ଚାଲିଗଲା ଛାତ୍ରୀଙ୍କ ଜୀବନ

Published By : Prameya-News7 Bureau | August 09, 2020 IST


ଝାରସୁଗୁଡା୮/୯: ବିବାହର ଦୀର୍ଘଦିନ ପର୍ଯ୍ୟନ୍ତ ବାପା-ମାଆ ଡାକ ଶୁଣିବା ଭାଗ୍ୟରେ ନଥିଲା। ଶେଷରେ ୯ ବର୍ଷ ତଳେ ଜଣେ ଅନାଥ ଶିଶୁ କନ୍ୟାକୁ ଘରେ ଆଣି ରଖିଲେ ।ନିଜର ସନ୍ତାନ ଭାବେ ଲାଳନ ପାଳନ କରୁଥିଲେ ସତ ।କିନ୍ତୁ ତାକୁ ଭଉଣୀ ଭାବେ ରଖିଥିଲେ।ଶେଷରେ ସେହି ଝିଅଟିର ସାପ କାମୁଡାରେ ଆଜି ଜୀବନ ଗଲା। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଇବ୍ ଥର୍ମାଲ ପମ୍ପହାଉସ ଝୁମ୍ଫୁଡିପଡାର ଜଣେ ନାବାଳିକାଙ୍କୁ ସାପ କାମୁଡିବା ଯୋଗୁଁ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ମୃତ ନାବାଳିକା ଜଣଙ୍କ ହେଲେ ମନିଷା ତିର୍କୀ (୧୪) । ଖବର ପାଇ ବନହରପାଲି ଥାନା ପୋଲିସ ମୃତଦେହ ଜବତ କରି ବ୍ଯବେଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ପୋଲିସ ବନହରପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ( ନଂ ୨୧/୨୦) ରୁଜୁ କରି ତଦନ୍ତ ଚଳାଇଛି । ଗତ ଶନିବାର ରାତିରେ ନାବାଳିକା ଜଣଙ୍କ ଘରେ ଶୋଇଥିବା ବେଳେ ଭୋର୍ ସାଢେ ୪ଟାରେ ତାଙ୍କ ହାତ ଓ ଗଳାକୁ କଣ କାମୁଡି ଦେଇଥିଲା । ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ । ତାପରେ ପରିବାର ଲୋକ ଦେଖିଲା ବେଳକୁ ବିଛଣାରେ ଏକ ବୋଡା ସାପ ରହିଛି ।

ପରିବାର ଲୋକେ ସାପକୁ ମାରିଦେଇ ଆହତ ନାବାଳିକାଙ୍କୁ ପ୍ରଥମେ ଝଡାଫୁଙ୍କା ପାଇଁ ଭୁତିଆ ଗ୍ରାମକୁ ନେଇଥିଲେ । ପରେ ସେଠାରୁ ବେଲପାହାଡ ଟାଟା କ୍ରୋସାକୀ ହସପିଟାଲ୍ କୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ନାବାଳିକାଙ୍କୁ ଡାକ୍ତର ଚିକିତ୍ସା କରିଥିଲେ । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପମ୍ପହାଉସ ଝୁମ୍ଫୁଡିପଡାର ପ୍ରଶାନ୍ତ ତିର୍କୀ ମନିଷାଙ୍କୁ ୫ ବର୍ଷ ବୟସରୁ ନିଜ ଘରେ ଆଣି ସାନ ଭଉଣୀ ଭାବେ ରଖିଥିଲେ । ସେ ତେଲେନପାଲି ସ୍କୁଲରେ ୫ମ ଶ୍ରେଣୀରେ ପଢୁଥିଲେ । ଏଭଳି ଦୁଃଖଦ୍ ଘଟଣା ଜାଣିବା ପରେ ପମ୍ପହାଉସ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.