୬ ଦିନରେ କରୋନାକୁ ମାତ ଦେଲେ ଏଚଆଇଭି ପଜିଟିଭ ରୋଗୀ

Published By : Prameya-News7 Bureau | May 27, 2020 IST

ଲକ୍ଷ୍ନୌ ୨୭/୦୫ : କ୍ୟାନସର ପରେ ବର୍ତ୍ତମାନ ଏଚଆଇଭି ପଜିଟିଭ ରୋଗୀ କରୋନାକୁ ମାତ ଦେଇଛନ୍ତି | ଜଣେ ୩୪ ବର୍ଷ ବୟସ୍କ ଯୁବକ କରୋନା ଯୁଦ୍ଧରେ ଜିତି ଯାଇଛନ୍ତି | ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ କେଜିଏମୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଡାକ୍ତରଙ୍କ ଉଦ୍ୟମ ସଫଳ ହୋଇଛି | ମାତ୍ର ୬ ଦିନରେ ଯୁବକ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | କେଜିଏମୟୁ ପ୍ରଶାସନ କହିଛନ୍ତି ଯେ ଏହା ପ୍ରଥମ ମାମଲା ଯିଏ ଏଚଆଇଭି ସଂକ୍ରମିତ ହୋଇ ମଧ୍ୟ କରୋନାକୁ ହରାଇଛନ୍ତି |

ମେ ୧୯ ତାରିଖରେ ଯୁବକ ଜଣକ ଦିଲ୍ଲୀରୁ ଗୋଣ୍ଡା ଫେରୁଥିବା ସମୟରେ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ | ଏହାପରେ ତାଙ୍କୁ ଲକ୍ଷ୍ନୌ କେଜିଏମୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ହସ୍ପିଟାଲରେ ଯୁବକଙ୍କ କରୋନା ପରୀକ୍ଷା କରାଯାଇଥିଲା ଏବଂ ସେ ପଜିଟିଭ ଥିବା ଜଣାପଡିଥିଲା | ଯୁବକଙ୍କ ଏଚଆଇଭି ଟେଷ୍ଟ ମଧ୍ୟ କରାଯାଇଥିଲା ଯାହା ପଜିଟିଭ ଆସିଥିଲା | କେଜିଏମୟୁ କୁଳପତି ପ୍ରଫେସର ଏମଏଲବି ଭଟ୍ଟ କହିଛନ୍ତି ଯେ ମୁଣ୍ଡରେ ଆଘାତ ଲାଗିଥିବାରୁ ଯୁବକ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ | ସେ ବାରମ୍ବାର ବେଡ଼ରୁ ଉଠି ବାହାରକୁ ପଳାଉଥିଲେ | ଯାହାଫଳରେ ତାଙ୍କୁ ଚିକିତ୍ସା କରିବା ବହୁତ କଷ୍ଟକର ହୋଇପଡ଼ିଥିଲା | ମେଡ଼ିସିନ, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ କରୋନା ୱାର୍ଡର ଡାକ୍ତରମାନେ ସଂଯୁକ୍ତ ଭାବେ ଯୁବକଙ୍କ ଚିକିତ୍ସା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ | ପୁରା ଟିମର ପରିଶ୍ରମର ଫଳ, ସର୍ଜରୀ ପରେ ଯୁବକଙ୍କ ମାନସିକ ସନ୍ତୁଳନ ବଜାୟ ରହିଥିଲା | ଯୁବକ ଏକାଥରେ ୩ଟି ରୋଗରେ ଗ୍ରସିତ ହୋଇଯାଇଥିଲେ | କିନ୍ତୁ ୬ ଦିନ ପରେ ପୁଣି ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିଥିଲା |

ଲକ୍ଷ୍ନୌ କେଜିଏମୟୁ ହସ୍ପିଟାଲରେ ଗତ ୪୮ ଘଣ୍ଟାରେ ୧୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ସୋମବାର ଦିନ ୧୨ ଜଣ ଓ ମଙ୍ଗଳବାର ଦିନ ୪ ଜଣ ସୁସ୍ଥ ହୋଇଛନ୍ତି | ସମସ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.