ବିଦେଶରେ ୩,୩୩୬ ଭାରତୀୟ କରୋନା ସଂକ୍ରମିତ, କୁଏତରେ ୭୮୫, ସିଙ୍ଗାପୁରରେ ୬୩୪
16/04/2020 at 10:00 PM

ନୂଆଦିଲ୍ଲୀ ୧୬।୦୪: ଯେଉଁ ଭଳି ଭାରତରେ ଅଲଗା ଅଲଗା ଦେଶର କିଛି ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଠିକ୍ ସେହିଭଳି ବିଭିନ୍ନ ଦେଶରେ ରହୁଥିବା କିଛି ଭାରତୀୟ ମଧ୍ୟ କୋଭିଡ୍-୧୯ରେ ସଂକ୍ରମିତ ହୋଇଛନ୍ତି। ସରକାରୀ ସୂତ୍ର ମୁତାବକ, ଅନ୍ୟ ଦେଶରେ କରୋନା ସଂକ୍ରମିତ ଭାରତୀୟଙ୍କ ସଂଖ୍ୟା ୩୩୩୬ ରହିଛି। ଏହି ସବୁ ଭାରତୀୟ ଦୁନିଆର ୫୩ ଦେଶରେ ରହୁଛନ୍ତି। ଏପରିକି କରୋନାରେ ୨୫ ଭାରତୀୟଙ୍କ ମଧ୍ୟ ମୃତ୍ୟୁ ଘଟିଛି। ପ୍ରାୟ ଏକ ମାସ ପୂର୍ବେ ବିଦେଶରେ କେବଳ ୨୭୬ ଭାରତୀୟ କରୋନା ଆକ୍ରାନ୍ତ ହୋଇଥିଲେ। ଏଥିରୁ ଇରାନରେ ଏକାକୀ ୨୫୫ ଭାରତୀୟ ଥିବା ବେଳେ ୟୁଏଇରେ ୧୧ ଭାରତୀୟ ଥିଲେ। ସେତେବେଳକୁ ଇରାନ କରୋନା ହଟସ୍ପଟ୍ ହୋଇ ସାରିଥିଲା।
କେଉଁଠୁ କେତେ ଭାରତୀୟ କରୋନା ଆକ୍ରାନ୍ତ
କୁଏତରେ ୮୫ ଭାରତୀୟ, ସିଙ୍ଗାପୁର ଓ କାତାରରେ ୪୨୦ ଭାତତୀୟ ସଂକ୍ରମଣର ଶିକାର ହୋଇଛନ୍ତି। ସେହି ପରି ଇରାନରେ ୩୦୮, ଓମାନରେ ୨୯୭, ୟୁଏଇରେ ୨୩୮, ସାଉଦି ଆରବରେ ୧୮୬ ଓ ବାହାରିନରେ ୧୩୫ ଭାରତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ପରି ଇଟାଲୀରେ ୯୧, ମାଲେସିଆରେ ୩୭, ପର୍ତୁଗାଲରେ ୩୬, ଘାନାରେ ୨୯, ଆମେରିକାରେ ୧୫ ଥିବା ବେଳେ ଫ୍ରାନ୍ସରେ ୧୩ ଭାରତୀୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତକ ୨୫ ଭାରତୀୟଙ୍କ ମଧ୍ୟରୁ ୧୧ ଜଣ ଆମେରିକାରେ ଥିଲେ।
ମନ୍ତ୍ରଣାଳୟ କହିଛି ଯେ, ଯେଉଁ ଭାରତୀୟ ଅନ୍ୟ ଦେଶରେ ଫସି ରହିଛନ୍ତି, ଯେଉଁ ମାନଙ୍କୁ ଏ ପର୍ୟ୍ୟନ୍ତ ଉଦ୍ଧାର କରାଯାଇ ନାହିଁ, ସେମାନଙ୍କୁ କିଛି ଧୈର୍ୟ୍ୟ ଧରିବାକୁ ପଡିବ। କାରଣ ସରକାର ଏବେ ଦେଶରେ କରୋନା ଭାଇରସ୍ ସଂକ୍ରମଣ ରୋକିବାର ବୃହତ ରଣନୀତି ଆଧାରରେ ସେମାନଙ୍କୁ ସେଠାରୁ ଏବେ ଆଣି ପାରିବେ ନାହିଁ। ଅନ୍ୟ ଦେଶର ସରକାର ମଧ୍ୟ ନିଜର ସଂକ୍ରମିତ ନାଗରିକଙ୍କୁ ଭାରତରୁ ନେଉ ନାହାନ୍ତି। ମାତ୍ର ଅଲଗା ଅଲଗା ଦେଶରେ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ଯଥା ସମ୍ଭବ ସହାୟତା ଦେଉଛନ୍ତି। ଭାରତ ଏପର୍ୟ୍ୟନ୍ତ ୪୮ ଦେଶରୁ ୩୫ ହଜାର ଭାରତୀୟଙ୍କୁ ନିଜ ଦେଶକୁ ଆଣି ସାରିଛି।