ନୀତିଶ କୁମାରଙ୍କ ବଡ ଘୋଷଣା, ବିହାରରେ ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜ୍‌ରେ ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୩୩ ପ୍ରତିଶତ ସିଟ୍

Published By : Prameya-News7 Bureau | June 02, 2021 IST

ପାଟନା ୦୨।୦୬: ବିହାରରେ ଛାତ୍ରୀଙ୍କ ଶିକ୍ଷାକୁ ନେଇ ନୀତିଶ ସରକାର ବଡ ଘୋଷଣା କରିଛନ୍ତି। ରାଜ୍ୟର ଇଞ୍ଜିନିୟରିଂ ଓ ମେଡିକାଲ କଲେଜ୍‌ରେ ଛାତ୍ରୀଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସାମ୍ନାରେ ଭିଡିଓ କନଫରେନ୍ସିଂ ଜରିଆରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜ୍‌ ସ୍ଥାପନ ସଂପର୍କିତ ବିଧେୟକ ଉପରେ ତଥ୍ୟ ଉପସ୍ଥାପନ କରାଯାଇଛି।

ବିହାରରେ ୩୮ ସରକାରୀ ଇଞ୍ଜିନିୟରିଂ କଲେଜ୍‌ ରହିଛି। ଏଥିରେ ମୋଟ୍ ୯୨୭୫ ସିଟ୍ ରହିଛି। ଅନ୍ୟପଟେ ୧୦ ସରକାରୀ ମେଡିକାଲ କଲେଜ୍‌ରେ ୧୧୨୫ ସିଟ୍ ରହିଛି। ନୀତିଶ କୁମାର କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପରେ ଛାତ୍ରୀମାନେ ଉଚ୍ଚ ଏବଂ ପ୍ରଦୌଗିକି ଶିକ୍ଷା ପ୍ରତି ଅଧିକ ଉତ୍ସାହିତ ହେବେ। ରାଜ୍ୟରେ ସବୁ ଜିଲ୍ଲାରେ ଇଞ୍ଜିନିୟରିଂ କଲେଜ୍ ଖୋଲାଯିବ। ଅନେକ ମେଡିକାଲ କଲେଜ୍ ମଧ୍ୟ  ସ୍ଥାପନ କରାଯିବ। ଆମର ଉଦ୍ଦେଶ୍ୟ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମ ପାଇଁ ବିହାରର ଛାତ୍ର-ଛାତ୍ରୀଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ।

ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜ୍ ସ୍ଥାପନ ପାଇଁ ପ୍ରସ୍ତାବିତ ବିଧେୟକ ବିଧାନସଭାରେ ଉପସ୍ଥାପନ କରାଯିବ। ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ନୂତନ ବିଶ୍ଵ ବିଦ୍ୟାଳୟ ଆକ୍ଟ ଲାଗୁ କରାଯିବ। ଏଥିସହ ବିହାର ପ୍ରଥମ ରାଜ୍ୟ ହେବ ଯେଉଁଠି ଇଞ୍ଜିନିୟରିଂ କଲେଜ୍ ଓ ମେଡିକାଲ କଲେଜ୍‌ରେ ୩୩ ପ୍ରତିଶତ ଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷିତ ରହିବ। ଏହି ପରି ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.