ପାଟଣାଗଡ ସବ୍‌-ଜେଲ୍‌ରେ ପୁଣି ୩୩ କଏଦୀ ପଜିଟିଭ ଚିହ୍ନଟ, ୨୯ଜଣଙ୍କୁ କଣ୍ଟାବାଞ୍ଜୀ ଜେଲକୁ ସ୍ଥାନାନ୍ତର

Published By : Prameya-News7 Bureau | May 10, 2021 IST

ପାଟଣାଗଡ,୧୦/୫: ପାଟଣାଗଡ ଉପଖଣ୍ଡ ସବ୍‌-ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା । ଏହାକୁ ନେଇ ଗତ ୨ ଦିନ ହେବ ପ୍ରମେୟ ଖବର କାଗଜରେ ଖବର ପ୍ରକାଶ ପାଇଥିଲା ।

ଏହାପରେ ଜେଲ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଆଜି ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ନିଜେ ଜେଲରେ ଉପସ୍ଥିତ ରହି ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଡାକ୍ତର ଅଶୋକ ମିଶ୍ରଙ୍କ ନେତୃତ୍ୱରେ ପାଟଣାଗଡ ଜେଲ ଅନ୍ତେବାସୀଙ୍କ କରୋନା ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ଆଜି ପୁଣି ୩୩ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଥିଲା ।

ବର୍ତ୍ତମାନ ୮୪ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ୪ଟି ଆମ୍ବୁଲାନ୍ସରେ ବଲାଙ୍ଗିର କୋଭିଡ କେୟାର ସେଂଟରକୁ ସ୍ଥାନାନ୍ତର କରାଯାଇଛି । ପାଟଣାଗଡ ଜେଲରେ ୯୯ ଜଣ ଅନ୍ତେବାସୀଙ୍କ ରହିବା କ୍ଷମତା ଥିବା ବେଳେ କ୍ଷମତାରୁ ଅଧିକ ବିଚାରାଧିନ କଏଦୀ ଥିଲେ, ସେମାନଙ୍କ ମଧ୍ୟରୁ ଆଜି ୨୯ ଜଣ ବିଚାରାଧିନ କଏଦୀଙ୍କୁ ୨ଟି ବସରେ ପୋଲିସ ଏସକର୍ଟ କରି କଣ୍ଟାବାଞ୍ଜୀ ସବଜେଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.