ପୋଡାଜଳା କଲେ ଛାତ୍ରଛାତ୍ରୀ, ନରମିଲେ ମନ୍ତ୍ରୀ : ଏ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷରେ ୩୩% ପାସ୍ ନିୟମ ଲାଗୁ ହେବନି

Published By : Prameya-News7 Bureau | January 21, 2020 IST

ଭୁବନେଶ୍ବର ୨୧।୧: ଚଳିତ ବର୍ଷ ଲାଗୁ ହେବନି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ପିଲା ପ୍ରସ୍ତୁତ ହୋଇନପାରିଲେ ବିଚାର କରିବେ ସରକାର । ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ କରାଯିବା ନେଇ ପଦକ୍ଷେପ ନେବେ ସରକାର ।

ସୂଚନାଯୋଗ୍ୟ ଯେ, ଏହାକୁ ନେଇ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିଲେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବା ନେଇ ରାଜ୍ୟ ସରକାର ନେଇଥିବା  ନୂଆ ନିଷ୍ପତ୍ତିକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ ।  ଆଜି ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ସମେତ ଚନ୍ଦ୍ରଶେଖର ପୁର ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟରେ  ଛାତ୍ର ଅଶାନ୍ତି ଦେଖାଦେଇଥିଲା । ରମାଦେବୀରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନେ ବିଶ୍ବବିଦ୍ୟାଳୟ ଫାଟକରେ ତାଲା ପକାଇଦେଇଥିଲେ । ଟାୟାର ଜାଳି ବିଶ୍ବବିଦ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ପୋଲିସ ମୁତୟନ କରାଯାଇଛି । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ପାଇଁ ହୋଇଥିବା ନୂଆ ନିୟମ ନେଇ ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା ।

ସେହିପରି ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀମାନେ ବାଲିପାଟଣା- ଭିଙ୍ଗାରପୁର ରାସ୍ତାରେ ଟାୟାର ଜାଳି  ରାସ୍ତାରୋକ କରିଥିଲେ । ଫଳରେ ବାଲିପାଟଣା-ଭିଙ୍ଗାରପୁର ରାସ୍ତା ରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଶିଶୁଅନନ୍ତ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ଘଟଣାସ୍ଥଳରେ ପହଁଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା ପରେ ହଟିଥିଲା ରାସ୍ତାରୋକ |

ଗତକାଲି ମଧ୍ୟ କଟକ ସହରର ପ୍ରାୟ ସବୁ କଲେଜ ଶତାଧିକ ଛାତ୍ରଛାତ୍ରୀ ରାଲି କରିଥିଲେ । ଶୋଭାଯାତ୍ରାରେ ଯାଇ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ତେବେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ କାଉନସିଲ ନିୟମ କୋହଳ ନକଲେ ସାରା ଓଡ଼ିଶାରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.