ତେଲେଙ୍ଗାନାରୁ ମୁକୁଳିଲେ ୩୩ ଦାଦନ ଶ୍ରମିକ, ଏବେବି ଦୁଇ ଅଟକ

Published By : Prameya-News7 Bureau | February 28, 2020 IST

ପଦ୍ମପୁର ୨୮।୨: ମୁକୁଳିଲେ ୩୩ ଦାଦନ ଶ୍ରମିକ । ଏବେବି ଆଉ ଦୁଇ ଜଣ ଅଟକ ରହିଥିବା ଜଣାପଡିଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳରୁ ତେଲେଙ୍ଗାନା ଦାଦନ ଖଟିବାକୁ ଯାଇଥିଲେ ୩୫ ଦାଦନ ଶ୍ରମିକ । ତେବେ ସେଠାରେ ବନ୍ଧାପଡିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଓଡିଶା ଓ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ସେଠାରେ ବନ୍ଧା ପଡ଼ିଥିବା ସମୁଦାୟ ୩୫ ଜଣଙ୍କ ମଧ୍ୟରୁ ଗୁରୁବାର ସନ୍ଧ୍ୟାରେ ୩୩ଜଣ ଇଟା ଭାଟି ମାଲିକଙ୍କଠାରୁ ମୁକୁଳିଛନ୍ତି । ଏବେ ମଧ୍ୟ ଇଟା ଭାଟି ମାଲିକ ଅନ୍ୟ ଦୁଇଜଣ ଶ୍ରମିକ କୁଳମଣି ବରିହା ଓ ଜଳନ୍ଧରଙ୍କୁ ନିଜ କବଜାରେ ରଖିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର ଗ୍ରାମର ୩୫ ଜଣ ଶ୍ରମିକ କାମ କରିବା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ତେଲେଙ୍ଗାନା ପାଇଦାପାଳି ଜିଲ୍ଲା ପାଣ୍ଡୁଲ୍ଲାପଲ୍ଲୀ ଗ୍ରାମରେ କାମ କରିବାକୁ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ ଠିକାଦାର ତାର ଜୁଲମ ଆରମ୍ଭ କରିଥିଲା । ଭଲରେ ଖାଇବାକୁ ଦେଉନଥିଲା । ଘରକୁ ଯିବାକୁ କହିଲେ ମାଡ଼ ମାରୁଥିଲା  । ପରିବାରଲୋକ ତଥା ଗାଁଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମାଲିକ ମାଡ଼ ମାରୁଥିବା ଅଭିଯୋଗ କରିଥିଲେ । ତେଣୁ ଏହି ଦାଦନ ଶ୍ରମିକ ନିଛାଟିଆ ସ୍ଥାନରେ ଭିଡିଓ କରି ପଠାଇଥିବା ସହ ଓଡ଼ିଶା ସରକାରଙ୍କୁ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.