ଲକ୍‌ଡାଉନ୍‌: ବିବାହ କରି ଫସିଗଲେ ! ୨୨ ଦିନ ସ୍କୁଲରେ ଲକ୍‌ ଅଛନ୍ତି ବର-କନ୍ୟା

Published By : Prameya-News7 Bureau | April 14, 2020 IST

ଛପରା ୧୪।୦୪: ଲକ୍‌ଡାଉନ୍‌ କାରଣରୁ ଛପରାରେ କୋଲକାତାରୁ ଆସିଥିବା ୩୨ ବରଯାତ୍ରୀ ଏକ ଗାଁରେ ଫସି ରହିଛନ୍ତି। ଏହି ବରଯାତ୍ରୀ କୋଲକାତା ଫେରି ଯିବାକୁ ବହୁତ ଉଦ୍ୟମ କରିଥିଲେ ମଧ୍ୟ ଯାଇ ପାରି ନାହାନ୍ତି। ଏବେ ସ୍ଥିତି ଏମିତି ଆସି ଯାଇଛି ସେମାନଙ୍କ ପାଖରେ ଖାଇବାକୁ ମଧ୍ୟ ପଇସା ନାହିଁ। ତେଣୁ ଯୁବତୀଙ୍କ ଗାଁର ସାହି ପଡୀଶା ଲୋକ ବରଯାତ୍ରୀଙ୍କୁ ଖାଇବାକୁ ଦେଉଛନ୍ତି କାରଣ ଝିଅ ଘର ଗରିବ। ୨୨ ଦିନ ବରଯାତ୍ରୀଙ୍କୁ ଖାଇବାକୁ ଦେବା ପରେ ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା।

ସୂଚନା ଅନୁଯାୟୀ, ମାଞ୍ଝୀର ଇନାୟତପୁର ଗାଁକୁ କୋଲକାତାର ଫିରୋଜ ଅଖତାର ବର ଯାତ୍ରୀ ନେଇ ଆସିଥିଲେ। ଖୁସବୁ ଖାତୁନଙ୍କ ସହିତ ତାଙ୍କର ବିବାହ ରୀତି ନୀତି ଅନୁସାରେ ସଂପନ୍ନ ହୋଇଥିଲା। ମାତ୍ର ବିବାହରର ପରବର୍ତ୍ତୀ ଦିନ ମାର୍ଚ୍ଚ ୨୫ରେ ପୂରା ଦେଶରେ ଲକ୍‌ଡାଉନ୍‌ ଲାଗୁ ହୋଇଗଲା। କୋଲକାତାରୁ ଆସିଥିବା ସମସ୍ତ ବରଯାତ୍ରୀ ଗାଁରେ ହିଁ ଫସି ଗଲେ। ବରଯାତ୍ରୀରେ ଅନେକ ମହିଳା ମଧ୍ୟ ସାମିଲ। କନ୍ୟା ଘର ପକ୍ଷ ବରଯାତ୍ରୀଙ୍କ ରହିବା ଲାଗି ଗାଁରେ ସ୍କୁଲରେ ବ୍ୟବସ୍ଥା କରି ଦେଲେ। ମାତ୍ର ୩୨ ଜଣଙ୍କୁ ଖୁଆଇବା ଝିଅ ଘର ପକ୍ଷେ ମୁସ୍କିଲ ଥିଲା। ତେଣୁ ସେମାନେ ଦୂରେଇ ଗଲେ।

ମାତ୍ର ଏହି ବରଯାତ୍ରୀଙ୍କ କଷ୍ଟ ଦେଖି କନ୍ୟା ନିଜର ବାପା ଘର ଛାଡି ବରଯାତ୍ରୀଙ୍କ ସହ ସ୍କୁଲରେ ରହୁଛନ୍ତି। ଏହି ମୁସ୍କିଲ ସମୟରେ ମାଞ୍ଝୀ ଗାଁର ଲୋକ ଏହି ବରଯାତ୍ରୀଙ୍କୁ ଖୁବ୍ ସାହାଯ୍ୟ କରୁଛନ୍ତି। କୁହାଯାଉଛି ଯେ, ଯେଉଁ ଦିନ ବିବାହ ହେଲା ତାର ପରବର୍ତ୍ତୀ ଦିନ ଝିଅ ବିଦାୟ ନେବାର ଥିଲା। ମାତ୍ର ସେହି ଦିନ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ହୋଇଗଲା। ରେଳ ଯାତ୍ରା ସହ ସଡକ ଯାତାୟାତ ମଧ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ଏହି କାରଣରୁ କନ୍ୟା ଘର ପକ୍ଷ ବରଯାତ୍ରୀଙ୍କୁ ଗାଁର ବାହାର ସ୍କୁଲରେ ରହିବାକୁ ବ୍ୟବସ୍ଥା କରି ଦେଲେ। ପ୍ରଶାସନଠୁ ପାସ୍‌ ନେଇ ବରଯାତ୍ରୀ କୋଲକାତା ଯିବାକୁ ଉଦ୍ୟମ କରିଥିଲେ ମାତ୍ର ଝାରଖଣ୍ଡ ସୀମାରେ ହିଁ ସେମାନଙ୍କୁ ଫେରାଇ ଦିଆଗଲା।

ଛପରାରେ ୨୨ ଦିନ ହେବ ୩୨ ବରଯାତ୍ରୀ ଏକ ସ୍କୁଲରେ ଶରଣ ନେଇଛନ୍ତି। ୨୧ ଦିନ କୌଣସି ପ୍ରକାରେ ବିତାଇବା ପରେ ବରଯାତ୍ରୀଙ୍କ ପାଖରେ ଥିବା ସବୁ ପଇସା ସରି ଯାଇଛି। ତେଣୁ ଏବେ ଗାଁ ଲୋକଙ୍କ ସାହାଯ୍ୟରେ ଏମାନଙ୍କୁ ଖାଇବା ମିଳୁଛି। ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀ ଲକ୍‌ଡାଉନ୍‌ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ବରଯାତ୍ରୀଙ୍କ ସମସ୍ୟା ଆହୁରି ବଢି ଯାଇଛି। ସମସ୍ତ ବରଯାତ୍ରୀ ପଶ୍ଚିମବଙ୍ଗର ବନ୍ଦିଲ ଜଙ୍କସନ ନିକଟରେ ସ୍ଥିତ ଭିଖମହି ଗାଁର। ଅନୁଭବ ଜିନ୍ଦଗୀ ସଂସ୍ଥାର ସଦସ୍ୟ ସଞ୍ଜୀବ କୁମାର କହିଛନ୍ତି ଯେ, ଗାଁ ଲୋକଙ୍କ ସାହାଯ୍ୟରେ ସମସ୍ତ ବରଯାତ୍ରୀଙ୍କୁ ଭୋଜନର ବ୍ୟବସ୍ଥା କରାଯାଉଛି। ଆଜି ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯିବା ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବରଯାତ୍ରୀଙ୍କ ଚିନ୍ତା ଦ୍ଵିଗୁଣିତ ହୋଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.