କେରଳରେ ବନ୍ୟା ସ୍ଥିତି ଭୟଙ୍କର ; ୩୨୪ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 18, 2018 IST

କେରଳ ୧୮/୮ : କେରଳରେ ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି । ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ହେତୁ ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ଲୋକ ବାସହରା ହୋଇଥିବା ବେଳେ ୨ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏବେ ୧୫ଶହ୬୮ଟି ଆଶ୍ରୟସ୍ଥଳୀରେ ରହିଛନ୍ତି । ରାଜ୍ୟରେ ଏବେ ସମୁଦାୟ ୮୦ଟି ଡ୍ୟାମ୍ ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ସ୍ଥିତି ସମୀକ୍ଷା ପାଇଁ କେରଳରେ ଯାଇ ପହଞ୍ଚିଛନ୍ତି । ଆଜି ବନ୍ୟାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିବେ । ୧୬ଟି ସ୍ଥଳ ସେନା ଦଳ, ୨୮ଟି ନୌସେନା ଦଳ ଏବଂ ୩୯ଟି ଏନଡିଆରଏଫ୍ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଏନଡିଆରଏଫ୍ ଦ୍ବାରା ଏପର୍ଯ୍ୟନ୍ତ ୪ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ଚଳିତ ବର୍ଷା ଋତୁରେ ସମୁଦାୟ ୩୨୪ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଘୋଷଣା କରିଛନ୍ତି । ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ କୋଚି ବିମାନବନ୍ଦର ବନ୍ଦ କରି ଦିଆଯାଇଛି । ପ୍ରସିଦ୍ଧ ହିଲ୍ ଷ୍ଟେସନ୍ ମୁନ୍ନାର ଗତ ଗୁରୁବାର ରାତିରେ ୧୨୭ ମିମି ବର୍ଷାଜଳ ଗ୍ରହଣ କରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ରାଜ୍ୟର ଅର୍ଦ୍ଧାଧିକ ସହର ଓ ଗାଁଗୁଡ଼ିକ ଏବେ ଜଳମଗ୍ନ ହୋଇଯାଇଛି । ପେରିୟାର ନଦୀରୁ ବନ୍ୟାଜଳ ଏବେ ଏର୍ନାକୁଲମ୍ ଏବଂ ଥ୍ରିସୁର୍ ର ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି । ଆଲାପୁଝା, ଏର୍ନାକୁଲମ୍, ଥ୍ରିସୁରରେ ୭୦ ପ୍ରତିଶତ ରାସ୍ତା ଜଳମଗ୍ନ ହୋଇ ରହିଥିବାରୁ ଭୟଙ୍କର ପରିସ୍ଥିତି ଉପୁଜିଛି । ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥିବାରୁ ନୌସେନାବାହିନୀ ୮ ଲକ୍ଷ ଲିଟର ଜଳ କୋଚିରେ ପହଞ୍ଚାଇଛି । ରେଡ୍ ଆଲର୍ଟ କରାଯାଇଥିବା ୧୪ଟି ଜିଲ୍ଲାରୁ ଏବେ ୨ଟି ଜିଲ୍ଲାରୁ ଆଲର୍ଟ ଉଠାଇ ନିଆଯାଇଛି ।ଡାକ୍ତରଖାନାରେ ଅକ୍ସିଜେନ୍ ଏବଂ ପମ୍ପ ଷ୍ଟେସନରେ ପେଟ୍ରୋଲ୍, ଡିଜେଲ୍ ଅଭାବ ଦେଖାଦେଲାଣି । ସେନା, ଅର୍ଦ୍ଧସାମରିକ ବାହିନୀ, ଅଗ୍ନିଶମ ବିଭାଗ, ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.