ହସ୍ପିଟାଲରୁ କରୋନା ଟିକା ଚୋରି ! ୩୨୦ ଡୋଜ୍‌ ଗାଏବ ନେଇ ଥାନରେ ଏତଲା

Published By : Prameya-News7 Bureau | April 14, 2021 IST

ଜୟପୁର ୧୪/୪: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗୋଟିଏ ପଟେ ଟିକାକରଣ ଚାଲିଥିବା ବେଳେ ଭ୍ୟାକସିନ୍‌ କମ୍‌ ଥିବା ନେଇ ବିଭିନ୍ନ ରାଜ୍ୟ ମଧ୍ୟ ଅଭିଯୋଗ କରୁଛନ୍ତି। ରାଜସ୍ଥାନରେ ମଧ୍ୟ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଟିକାକରଣକୁ ଉଭୟ ସରକାର ଏବଂ ଲୋକେ ଏକ ଆଶା ବୋଲି ଭାବୁଥିବା ବେଳେ ରାଜସ୍ଥାନ ରାଜଧାନୀ ଜୟପୁରରେ କରୋନା ଟିକା ଚୋରି ନେଇ ଖବର ଆସିଛି।

ଜୟପୁରରେ ଥିବା କାନଓ୍ବାଟିଆ ହସ୍ପିଟାଲରେ ଭ୍ୟାକସିନ୍‌ ଚୋରି ହୋଇଥିବା ନେଇ ହସ୍ପିଟାଲର ଅଧିକ୍ଷକ ହର୍ଷବର୍ଦ୍ଧନ ଶାସ୍ତ୍ରୀ ନଗର ଥାନରେ ଏତଲା ଦେଇଛନ୍ତି। ହସ୍ପିଟାଲରୁ ୩୨୦ ଡୋଜ୍‌ (୩୨ ସିସି) ଚୋରି ହୋଇଥିବା ଜଣାପଡ଼ିଛି। ପୋଲିସ୍‌ ଆଇପିସି ୩୮୦​‌ରେ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।

୧୨ ଏପ୍ରିଲ୍‌ରେ ହସ୍ପିଟାଲକୁ କରୋନା ଟିକା ମିଳିଥିଲା। ସେହି ଦିନ ସନ୍ଧ୍ୟାରେ ଷ୍ଟକ୍‌ ଚେକ୍‌ କରାଯିବା ପରେ ୩୨୦ ଡୋଜ୍‌ କମ୍‌ ଥିବା ଜଣାପଡ଼ିଥିଲା। ଏନେଇ ଦୁଇ ଦିନ ହସ୍ପିଟାଲ କମିଟି ମାମଲାର ଯାଞ୍ଚ କରିବା ପରେ ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ କରୋନର ଦ୍ବିତୀୟ ଲହର ରାଜ୍ୟରେ ତାଣ୍ଡବ ରଚିଥିବା ବେଳେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ମଙ୍ଗଳବାର ରାଜ୍ୟରେ ୨୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ସହ ୫୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.