ବିଷାକ୍ତ ମଦ ପିଇ ୩୧ ଜଣଙ୍କ ମୃତ୍ୟୁ, ଅନେକ ଗୁରୁତର ହସ୍ପିଟାଲରେ ଭର୍ତ୍ତି : ୨ ଥାନା ଅଧିକାରୀ ସସ୍‌ପେଣ୍ଡ

Published By : Prameya-News7 Bureau | November 05, 2021 IST

ପାଟନା ୦୫/୧୧ : ବିହାରରେ ସରକାର ମଦ ବ୍ୟାନ୍‌ କରିଛନ୍ତି । କିନ୍ତୁ ବିଷାକ୍ତ ମଦ ପିଇ ପୁଣିଥ​‌ରେ ସ୍ଥିତି ସାଂଘାତିକ ହୋଇଛି । ଦୀପାବଳିରେ ଗୋପାଳଗଞ୍ଜ ଏବଂ ବୋତିୟାରେ ବିଷାକ୍ତ ମଦ ପିଇ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ଗୋପାଳଗଞ୍ଜରେ  ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବୋତିୟାରେ ୧୧ ଜଣ ଜୀବନ ଗଲାଣି । ଆହୁରି ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଷାକ୍ତ ମଦ ପିଇବା ଯୋଗୁଁ କିଛି ଲୋକଙ୍କର ଦୃଷ୍ଟି ଶକ୍ତି ଚାଲିଯିବା ଭଳି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଗତ ସପ୍ତାହରେ ବିହାରର ମୁଜାଫରପୁରରେ ମଧ୍ୟ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ।

ବିହାରରେ ବାରମ୍ବାର ବିଷାକ୍ତ ମଦ ଜନୀତ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ଟ୍ବିଟ କରି ତେଜସ୍ବୀ କହିଛନ୍ତି, ‘ବିଷାକ୍ତ ମଦ ପିଇ ପବିତ୍ର ଦୀପାବଳିରେ ବିହାରରେ ୩୫ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହିଁ ଦାୟୀ । ରାଜ୍ୟରେ ମଦ ବ୍ୟାନ୍‌ ହୋଇଥିଲେ ସୁଦ୍ଧା କିଭଳି ଭାବେ ଚୋରାରେ ପ୍ରଚୁର ପରିମାଣର ମଦ ବିକ୍ରି ହେଉଛି । ବିଷାକ୍ତ ମଦ ପଇ ବାରମ୍ବାର ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି ।’

ସେପଟେ ରାଜ୍ୟରେ ମଦ ମୃତ୍ୟୁକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଛନ୍ତି, ‘ଏଣୁ ତେଣୁ ପିଇବେ ତ ଏଭଳି ହିଁ ହେବ । ଅନେକ ଥର ମନା କରିବା ପରେ ବି ସେମାନେ ପିଉଛନ୍ତି । ୨୦୧୬ ମସିହାରୁ ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । କିନ୍ତୁ କିଛି ଲୋକ ଏହାକୁ ମାନୁନାହାନ୍ତି । ଯାହା ଫଳରେ ଏଭଳି ସ୍ଥିତି ଉପୁଜୁଛି । ବାରମ୍ବାର ଲୋକଙ୍କୁ ମଦ ନପିଇବା ପାଇଁ ମନା କରିବା ପରେ ବି କିଛି ଲୋକ ବେଆଇନ ଭାବେ ମଦ ବିକ୍ରି କରୁଛନ୍ତି ଏବଂ ପିଉଛନ୍ତି । ବିଷାକ୍ତ ଜିନିଷ ମିଶିବା ଯୋଗୁଁ ଏହାକୁ ପିଇ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି ।’

ବିହାରର ଅବକାରୀ ମନ୍ତ୍ରୀ ସୁନୀଲ କୁମାର କହିଛନ୍ତି, ‘ବିହାରରୁ ମଦ ବ୍ୟାନ୍‌ ହେବା ପରଠାରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ପ୍ରାୟ ୧୮୭ ଲକ୍ଷ ଲିଟର ଚୋରା ମଦ ଜବତ ହୋଇଛି । ୩ ଲକ୍ଷ ଲୋକ ଗିରଫ ହୋଇଥିବା ବେଳେ ୬୦ ହଜାର ଗାଡି ଜବତ କରାଯାଇଛି । ମଦ ବ୍ୟାନ୍‌ ହେବା ପରଠାରୁ ଦାୟିତ୍ବରେ ଅବହେଳା କାରଣରୁ ୭୦୦ ପୋଲିସ ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯେଉଁମାନେ ଚୋରା ମଦ ବେପାର ଏବଂ କାରବାର କରୁଥିବା ଲୋକମାନଙ୍କୁ ସୁରକ୍ଷା ଦେଉଥିଲେ । ଗୋପାଳଗଞ୍ଜ ଏବଂ ବୋତିୟାରେ ଏଭଳି ଘଟଣା ଘଟିବା ପରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି । ଉଭୟ ଥାନାର ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଜଣେ ଗାର୍ଡଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି ।’

wp:embed {"url":"https://twitter.com/ANI/status/1456564271978975236","type":"rich","providerNameSlug":"twitter","responsive":true}
https://twitter.com/ANI/status/1456564271978975236
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.