ରାଜ୍ୟରେ ୩୨ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ୩୧ ଜଣଙ୍କ ନମୁନା ନେଗେଟିଭ୍, ଭଲ ଅଛି ଆକ୍ରାନ୍ତଙ୍କ ଅବସ୍ଥା
17/03/2020 at 7:07 PM

ଭୁବନେଶ୍ବର ୧୭.୦୩- ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ଆଶ୍ବସ୍ତିକର ଖବର । କାରଣ ରାଜ୍ୟରେ ମୋଟ ୩୨ ଜଣ ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା ରୁ ଜଣଙ୍କୁ ଛାଡି ଅବଶିଷ୍ଟ ସମସ୍ତ ୩୧ ଜଣଙ୍କ ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ସେହିପରି ବିଦେଶ ଫେରନ୍ତାଙ୍କ ଠାରୁ ଯଥାର୍ଥ ରେସପନ୍ସ ମିଳିଛି । ବିଦେଶରୁ ରାଜ୍ୟକୁ ଫେରିଥିବା ବା ଆସିଥିବା ୧୨୩୯ ଜଣ ବ୍ୟକ୍ତି ସରକାରୀ ପୋର୍ଟାଲାରେ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରାଇଛନ୍ତି । ସେପଟେ କରୋନା ନେଇ ଲୋକଙ୍କୁ ଅଧିକ ସଚେତନ କରିବାକୁ କାଲିଠାରୁ ରାଜ୍ୟର ସବୁ ପଞ୍ଚାୟତ ସ୍ତରଠୁ ଜିଲ୍ଲା ସ୍ତର ଯାଏ ସଚେତନତା କାର୍ଯ୍ୟକ୍ରମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।ତେବେ ବଡ ଖବରଟି ହେଲା, ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ ଆଇସୋଲେସନ କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନେଇ ବ୍ୟାପକ ପଦକ୍ଷେପ ନିଆଯାଉଥିବା ବେଳେ ସଚେତନତାକୁ ବିଶେଷ ଗୁରୁତ୍ବ ଦିଆଯାଉଛି । ଏନେଇ ସାମାଜିକ ଦୂରତା ଉପରେ ଅଧିକ ପ୍ରାଧାନ୍ୟ । କାରଣ,ଜଣେରୁ ଦୁଇଜଣ, ଦୁଇରୁ ଚାରି ଏମିତି କରୋନା ବ୍ୟାପିବା ଆଶଙ୍କା ରହିଛି। ଆଉ ଏବେ ଯେଉଁ ଅଭିଯାନ ଆରମ୍ଭ ହୋଇଛି ୬ ମାସ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ସାମାଜିକ ଦୂରତା ଦ୍ବାରା ରୋଗ ସଂକ୍ରମଣ ହାର ବହୁମାତ୍ରାରେ କମୁଛି। ଗ୍ରାଫ ମାଧ୍ୟମରେ ଏହା ବୁଝାଇଛନ୍ତି ରାଜ୍ୟ ସରକାରଙ୍କ କରୋନା କମିଟି ମୁଖପାତ୍ର ସୁବ୍ରତୋ ବାଗଚି। ରାଜ୍ୟରେ ଲାଗିଥିବା କଟକଣା ମାର୍ଚ୍ଚ ୩୧ ତାରିରୁ ଏପ୍ରିଲ ୧୫ ଯାଏଁ ବଢ଼ାଯାଇଥିବା ମୁଖ୍ୟମନ୍ତ୍ରୀ ଟ୍ବିଟ କରିଥିଲେ ।

ସେପଟେ ସାମାଜିକ ଦୂରତା କେମିତି ରଖାଯିବ ସେନେଇ ଏସଓପି ଜାରି କରାଯାଇଛି। ସହରାଞ୍ଚଳ ସହିତ ପଞ୍ଚାୟତ ସ୍ତରରେ ଆସନ୍ତାକାଲିଠାରୁ ସଚେତନତା ଆରମ୍ଭ ହେବ। ୧୯ରେ ପଞ୍ଚାୟତ ସମିତି ଏବଂ ୨୦ରେ ଜିଲ୍ଲା ପରିଷଦ ସ୍ତରରେ ଲୋକଙ୍କୁ ସଚେତନ କରାଯିବ। ଏହି ପଦକ୍ଷେପ ଅନୁସାରେ ମଧ୍ୟ ବୟସ୍କ ଲୋକମାନଙ୍କ ପ୍ରତି କରୋନା ସଂକ୍ରମଣର ଅଧିକ ଭୟ ଥିବାରୁ ବୟସ୍କ ଲୋକଙ୍କ ଘରେ ପିଡିଏସ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ପ୍ରତି ପଞ୍ଚାୟତରେ କ୍ବାରାଣ୍ଟାଇନ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁରୀ ହୋଇଛି। ସେହିପରି ଘରୋଇ ମେଡ଼ିକାଲରେ କୋଭିଡ ୧୯ କର୍ଣ୍ଣର ଖୋଲାଯିବ।