ଦିଲ୍ଲୀ ଚାନ୍ଦନି ଚୌକ ସ୍ଥିତ ୩୦୦ଗୁପ୍ତ ଲକରର ଭିତିରି କଥା; ଲକର ପାଇଁ ସରକାରଙ୍କ ତରଫରୁ ମିଳିଥିଲା ଲାଇସେନ୍ସ

Published By : Prameya-News7 Bureau | December 05, 2018 IST

ଦିଲ୍ଲୀ ୫/୧୨ : ପୁରୁଣା ଦିଲ୍ଲୀ ସ୍ଥିତ ଚାନ୍ଦନି ଚୌକରେ ଏକ ଡ୍ରାଇ ଫ୍ରୁଟ ଦୋକାନର ଗୁପ୍ତ ସୁଡ଼ଙ୍ଗ ଭିତରୁ ୩୦ କୋଟି ଟଙ୍କା ଜବତ ହୋଇଥିଲା | ଗତ କିଛି ଦିନ ହେଲା ଆୟକର ବିଭାଗ ଲଗାତାର ଏଠାରେ ଚଢ଼ାଉ ଜାରି ରଖିଛି | ଏହି ଗୁପ୍ତ ସୁଡ଼ଙ୍ଗ ଲକରରୁ ବାହାରୁଚି ପୁଳା ପୁଳା ଟଙ୍କା | ମାସେ ହେଲାଣି ମେସିନ ଲଗାଇ ଟଙ୍କା ଗଣା ଚାଲିଛି | ଆୟକର ବିଭାଗ କର୍ମଚାରୀ ଖାଉଛନ୍ତି ବି ସେଇଠି ଏବଂ ଶୋଉଚନ୍ତି ବି ସେଇଠି | ଏବେ ଯାଏଁ ଏହି ଲକରରୁ ୩୦.୫ କୋଟି ଟଙ୍କା ଜବତ କରି ସାରିଛି ଆୟକର ବିଭାଗ | ତଥାପି ଟଙ୍କା ସାରିବା ନାଁ ଧାରିଣୀ | ଟଙ୍କା ଗଣା ପ୍ରକ୍ରିୟା ଜାରି ରହିଛି | ଦୀପାବଳି ସମୟରେ ଆୟକର ବିଭାଗକୁ ଚାନ୍ଦନି ଚୌକ ସ୍ଥିତ ଏହି ଗୁପ୍ତ ସୁଡ଼ଙ୍ଗରେ ସ୍ଥିତ ଏହି ଲକର ବିଷୟରେ ସୂଚନା ମିଳିଥିଲା | ଆୟକର ବିଭାଗ ଏଠାରୁ ୩୦୦ ଗୁପ୍ତ ଲକର ପାଇଥିଲା | ସେଠି ମଧ୍ୟରୁ ଏବେ ପର୍ଯ୍ୟନ୍ତ ୧୭୦ଟି ଲକରକୁ ସିଲ କରି ଦିଆଯାଇଛି | ଏଥିରେ ଏଟଂବାଦୀ ଲିଙ୍କ ଥିବା ଆଶଙ୍କା କରାଯାଉଛି | ଆୟକର ବିଭାଗର ଯାଞ୍ଚରୁ ଏବେ ଯାଇଁ ଜଣାପଡିଛି ଯେ, ଏହି ସବୁ ଟଙ୍କା ସ୍ଥାନୀୟ ବ୍ୟବସାୟୀଙ୍କ | ତେବେ ଆୟକର ବିଭାଗ ଏବେ ଲକର ମାଲିକଙ୍କ ଠିକଣା ଖୋଜୁଛି | ତେବେ ଆୟକର ବିଭାଗର ଚଢ଼ାଉ ପରେ ଚାନ୍ଦନି ଚୌକଠାରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି | ବ୍ୟବସାୟୀମାନେ ମଧ୍ୟ ଆୟକର ବିଭାଗର ଚଢ଼ାଉକୁ ବିରୋଧ କରିବା ଆରମ୍ଭ କଲେଣି | ତେବେ ବ୍ୟବସାୟୀମାନେ ଦାବି କରିଛନ୍ତି ଯେ, ଗୁପ୍ତ ଲକର ସମ୍ପର୍କରେ ସେମାନେ ସମସ୍ତ ତଥ୍ୟ ଦେବାକୁ ରାଜି ଅଛନ୍ତି କିନ୍ତୁ ତାଙ୍କୁ ଏଭଳି ହଇରାଣ କରିବା ବନ୍ଦ କରାଯାଉ |  ବ୍ୟବସାୟୀଙ୍କ କହିବାନୁଯାୟୀ ଚାନ୍ଦନି ଚୌକଠାରେ ସ୍ଥିତ ଏହି ଗୁପ୍ତ ଲକର ବିଗତ ୨୫ ବର୍ଷ ହେଲା ଚାଲିଛି | ଦୁଇ ଭାଇଙ୍କ କାରବାରରେ ଭଗବାଣ୍ଟା ବେଳେ ଏହାର ଆରମ୍ଭ ହୋଇଥିଲା ବୋଲି ସେଠାକାର ବ୍ୟବସାୟୀମାନେ କହିଛନ୍ତି | ଦୁଇ ଭାଇଙ୍କ ମଧ୍ୟରୁ ଜଣେ ପୁରୁଣା ବ୍ୟବସାୟ କରୁଥିବା ବେଳେ ଅନ୍ୟ ଭାଇ ଦୋକାନ ତଳେ ଗୁପ୍ତ ସୁଡ଼ଙ୍ଗ ତିଆରି କରି ସେଠାରେ ଲକର ବ୍ୟବସ୍ଥା କରି ତାକୁ ଭଡାରେ ଦେବା ଆରମ୍ଭ କରିଦେଇଥିଲେ | ତେବେ ସବୁଠାରୁ ଚାଞ୍ଚଲ୍ୟକର କଥା ହେଲା ଏଥିପାଇଁ ତାଙ୍କୁ ସରକାରଙ୍କ ଠାରୁ ଲାଇସେନ୍ସ ମଧ୍ୟ ମିଳିଥିଲା | ଗୁପ୍ତ ଲକର ବ୍ୟବସାୟ ଏମିତି ଚାଲିଲା ଯେ, ୩୦୦ ଲକର ମଧ୍ୟରୁ ଗୋଟିଏ ମଧ୍ୟ ଲକର କେବେ ଖାଲି ରହିଲାନାହିଁ | ଚୋରି ଡକାୟତି ଭୟରେ ସେଠାକାର ବ୍ୟବସାୟୀମାନେ ରାତିରେ ଦୋକାନ ବନ୍ଦ କରିବା ପରେ ଏହି ଲକରରେ ନିଜ ଟଙ୍କା ଜମା କରି ଘରକୁ ଯାଇଥାନ୍ତି | ଏମିତିକି ଏହି ଲକରର ସୁରକ୍ଷା ପାଇଁ ସେଠାରେ ସିସିଟିଭି ମଧ୍ୟ ଲଗାଯାଇଛି | କେବଳ ସେତିକି ନୁହେଁ ଲକରର ସୁରକ୍ଷା ପାଇଁ ସେଠାରେ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ ରହିଛି | ତେବେ ଲକର ଚଢ଼ାଉ ପରେ ସେଠାକାର ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଆୟକର ବିଭାଗ ଚଢ଼ାଉ ପରେ ବ୍ୟବସାୟୀ ସେଠାରେ ଟଙ୍କା ଜମା କରିପାରୁନାହାନ୍ତି | ଯାହାଫଳରେ ଚୋରି ଡକାୟତି ଭଳି ସମସ୍ୟା ବଢ଼ିବାରେ ଲାଗିଛି ବୋଲି କହିଛନ୍ତି ସ୍ଥାନୀୟଲୋକେ | ରାତିରେ ଦୋକାନର ତାଲା ଭାଙ୍ଗି ଚୋରା ଟଙ୍କା ଚୋରି କରିନେଉଛନ୍ତି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.