କୋଭିଡ୍-୧୯ ମୁକାବିଲା ଅଭିଯାନରେ ୩୦୦ ଅବସରପ୍ରାପ୍ତ ଓ ବେସରକାରୀ ଡାକ୍ତର ସାମିଲ: କର୍ତ୍ତବ୍ୟ ନିଷ୍ଠାର ଉଦାହରଣ ଦେଲେ କଟକ ଜିଲ୍ଲାପାଳ

Published By : Prameya-News7 Bureau | April 07, 2020 IST

ଭୁବନେଶ୍ଵର ୦୭।୦୪: କୋଭିଡ୍ ୧୯ର ମୁକାବିଲା ଲାଗି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ କୌଣସି ବିକଳ୍ପ ଛାଡି ନାହାନ୍ତି। ସଚେତନତା, ସତର୍କତାଠାରୁ ଆରମ୍ଭ କରି କଣ୍ଟ୍ରୋଲ ରୁମ, ଟୋଲ୍‌ ଫ୍ରି ନମ୍ବର, ସ୍ଵତନ୍ତ୍ର ଡାକ୍ତରଖାନା, ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଆଦି ଅନେକ ତ୍ଵରିତ୍, ସଫଳ ପଦକ୍ଷେପ ଓ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି। କୋଭିଡ୍-୧୯ର ନିୟନ୍ତ୍ରଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣଙ୍କୁ ପରାମର୍ଶ, ଅନୁରୋଧ ସହ ଅନେକ ଆହ୍ଵାନ ମଧ୍ୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଅବସର ପ୍ରାପ୍ତ ଡାକ୍ତର ଏବଂ ବେସରକାରୀସ୍ତରରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କୁ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁକାବିଲା ଅଭିଯାନରେ ସାମଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ କରିଥିଲେ।

{"id":250437,"sizeSlug":"large"}

ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନର ଏକ ବଡ ଏବଂ ଉଲ୍ଲେଖନୀୟ ପରିଣାମ ପରିଲଖିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନକୁ ଗ୍ରହଣ କରି ତିନି ଶହ ଅବସର ପ୍ରାପ୍ତ ଏବଂ ବେସରକାରୀ ଡାକ୍ତର ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ସ୍ଵେଚ୍ଛାକୃତ ଭାବେ ଆଗେଇ ଆସିଛନ୍ତି। ସେମାନଙ୍କୁ କୋଭିଡ୍-୧୯ ଚିକିତ୍ସା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ରୋଗୀମାନଙ୍କୁ ସେମାନେ ଟେଲିଫୋନରେ ଚିକିତ୍ସା ପରାମର୍ଶ ସହ ଆବଶ୍ୟକ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି। ଏହା ସହ ଶ୍ରୀ ବାଗ୍‌ଚୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ବିଶ୍ଵ ସ୍ଵାସ୍ଥ୍ୟ ଦିବସରେ ରାଜ୍ୟର ସ୍ଵାସ୍ଥ୍ୟ ସେବାରେ ଥିବା ସମସ୍ତ ଚିକିତ୍ସା ସେବାର କର୍ମଚାରୀ, ବିଶେଷ କରି ନର୍ସ ଓ ଧାଇ ମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

{"id":250436,"sizeSlug":"large"}

ଅବସରପ୍ରାପ୍ତ ଏବଂ ବେସରକାରୀ ଡାକ୍ତରଙ୍କ ଭଳି ଆଉ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ତାଙ୍କର କର୍ତ୍ତବ୍ୟ ନିଷ୍ଠା ତଥା ଦାୟିତ୍ଵର ପରିଚୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ଶ୍ରୀ ବାଗ୍‌ଚୀ ରଖିଥିବା ତଥ୍ୟ ଅନୁଯାୟୀ, ସେହି  ବରିଷ୍ଠ ପ୍ରଶାସନିକ ଅଧିକାରୀ ଜଣକ ହେଉଛନ୍ତି କଟକ ଜିଲ୍ଲାପାଳ ଭବାନୀ ଚଇନି। ଆଜି ସକାଳେ ଶ୍ରୀ ଚଇନିଙ୍କ ପିତା ତଥା ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ଦାମୋଦର ଚଇନିଙ୍କର ପରଲୋକ ଘଟିଛି। ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତେବେ ସ୍ଵର୍ଗତ ଦାମୋଦର ଚଇନି ସବୁ ବେଳେ ତାଙ୍କର ପିଲାମାନଙ୍କୁ ଅଧାରେ କୌଣସି କାମ ନଛାଡିବାକୁ ପରାମର୍ଶ ଦେଇ ଆସୁଥିଲେ। ସେହି ପରାମର୍ଶଟି ଥିଲା, ‘Incomplete work is no work’ ଏହାର ଅର୍ଥ କୌଣସି କାମକୁ ଅଧାରେ ଛାଡିବା ସଂପନ୍ନ ଏବଂ ସୁସଂପନ୍ନ କାର୍ଯ୍ୟ ହୋଇନପାରେ। ବାବାଙ୍କର ଏହି ମନ୍ତ୍ରକୁ ଗ୍ରହଣ କରିଥିବା କଟକ ଜିଲ୍ଲାପାଳ ଆଜି ଭଳି ଦିନରେ ବାପାଙ୍କର ଶେଷକୃତ୍ୟ ଲାଗି ଛୁଟି ନନେଇ ତାଙ୍କ ସରକାରୀ କାର୍ଯ୍ୟ ଜାରି ରଖିଛନ୍ତି। କାରଣ କୋଭିଡ୍-୧୯ର ଭୟଙ୍କର ସ୍ଥିତି ଜନିତ ଆପଦକାଳୀନ ଅବସ୍ଥାରେ କଟକ  ଜିଲ୍ଲାପାଳ ଭାବେ ତାଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ନିହାତି ଜରୁରୀ ଥିବାରୁ ତାହାକୁ ଗ୍ରହଣ କରି ସେ ତାଙ୍କ କର୍ତ୍ତବ୍ୟରେ ବାହାଲ ଅଛନ୍ତି। ଏଥିପାଇଁ ସେ କେବଳ ପ୍ରଶଂସାର ପାତ୍ର ହୋଇ ନାହାନ୍ତି ଉଦାହରଣ ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.