ବିଗ୍ ଆଣ୍ଡ୍ ହାପି ଫ୍ୟାମିଲି: ୩୦ ବର୍ଷର ମହିଳା ୧୧ ସନ୍ତାନର ଜନନୀ, ୫ ଥର ଘରକୁ ସଫା କରନ୍ତି, ପିଲାଙ୍କୁ ଏକାଠି ନେବାକୁ ବାପା-ମାଆ ବ୍ୟବହାର କରନ୍ତି ମିନି ବସ୍, ସାରା ଦିନର କଥା ଏମିତି
15/06/2020 at 8:23 PM

ଲଣ୍ଡନ, ୧୫|୦୬ : ମହିଳାଙ୍କ ବୟସ ୩୦ । ତାଙ୍କ ସ୍ୱାମୀଙ୍କ ବୟସ ୩୫ । ଏହି ବୟସରେ ଉଭୟ ୧୧ଟି ସନ୍ତାନର ଜନକ ଓ ଜନନୀ । ବିବାହ ପରେ ଆଦୌ ସନ୍ଦାନ ନକରିବା ପାଇଁ ନିଷ୍ପତ୍ତି ନେଇଥିବା ଏହି ପତି-ପତ୍ନୀଙ୍କର ଏବେ ୧୧ଟି ସନ୍ତାନ । ଏହି ସନ୍ତାନଙ୍କ ମଧ୍ୟରେ ୮ଟି ଝିଅ ଓ ୩ଜଣ ପୁଅ ରହିଛନ୍ତି ।
ଜୋସେଫ୍ ସୁଟନ୍(୩୫) ଓ ତାଙ୍କ ପତ୍ନୀ ନିକୋଲ୍(୩୦) ଲଣ୍ଡନରେ ରୁହନ୍ତି । ଉଭୟ ୨୦୦୫ରେ ପରସ୍ପରକୁ ସାକ୍ଷାତ କରିଥିଲେ । ଏହାପରେ ଉଭୟଙ୍କ ବିବାହ ହୋଇଥିଲା । ତେବେ ସେମାନେ ସନ୍ତାନ ଜନ୍ମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ସେମାନଙ୍କର ୧୧ଟି ସନ୍ତାନ । ସେମାନଙ୍କ ବଡ ଝିଅର ବୟସ ୧୪ । ଏହା ପରେ ତାଙ୍କର ୭ଟି ଝିଅ ଓ ୩ଟି ପୁଅ ଜନ୍ମ ହୋଇଥିଲେ । ତାଙ୍କର ସବୁଠାରୁ କମ ବୟସର ସନ୍ତାନର ବୟସ ୫ ମାସ ।
ପରିବାର ବଡ ହେଲେ ମଧ୍ୟ ସେମାନେ ଖୁସି ଅଛନ୍ତି ବୋଲି କହିଛନ୍ତି ଜୋସେଫ୍ । ଜୋସେଫ କହିଛନ୍ତି ଯେ, ୧୧ଟି ସନ୍ତାନଙ୍କ ମଧ୍ୟରୁ ୮ଜଣଙ୍କୁ ସେ ସ୍କୁଲ ପଠାନ୍ତି । ଅନ୍ୟ ୩ଜଣ ଘରେ ରୁହନ୍ତି ।ଏପରିକି ପରିବାର ଲୋକେ ବାହାରକୁ ଗଲେ ଏକ ମିନି ବସ୍ ଆବଶ୍ୟକ ପଡେ । ସେମାନେ ଏକ ୩ ରୁମ୍ ବିଶିଷ୍ଟ ଘରେ ରହୁନ୍ତି ।

ମାଆ ନିକୋଲ୍ କହିଛନ୍ତି ଯେ, ସମସ୍ତ ସନ୍ତାନଙ୍କ ପାଇଁ ରାତିରେ ବିଛଣା ସଜାଡିବାକୁ ଅଧ ଘଣ୍ଟା ଲାଗିଯାଏ । ପ୍ରାୟ ୧୨ଟି ଖଟ ପଡେ । ଏପରିକି ଘର ସଫା କରିବାକୁ ମଧ୍ୟ ଅଧିକ ସମୟ ଲାଗେ । ପ୍ରତିଦିନ ଘର ୫ ଥର ସଫା କରାଯାଏ । ସେମାନଙ୍କୁ ପୋଷାକ ପିନ୍ଧାଇବା ପାଇଁ ଘଣ୍ଟାଟେ ଲାଗିଥାଏ । ଖାଲି ସେତିକି ନୁହେଁ ପ୍ରତିଦିନ ୩ ଥର ସନ୍ତାନଙ୍କ ପୋଷାକ ସଫା ହୁଏ ।
ନିକୋଲ୍ ଆହୁରି କହିଛନ୍ତି ଯେ, ପ୍ରତିଦିନ ସମସ୍ତଙ୍କ ପାଇଁ ଖାଦ୍ୟ ରନ୍ଧାଯାଏ । ସେମାନଙ୍କ ଉଚ୍ଚତା ଅନୁସାରେ ଚେୟାର ରହିଛି । ୭ଜଣ ସନ୍ତାନ ନିଜେ ନିଜର ଖାଦ୍ୟ ପରଷନ୍ତି । ଏପରିକି ସେମାନଙ୍କୁ ନେବା ଆଣିବା ପାଇଁ ଏକ ୧୭ ସିଟର୍ ମିନି ବସ୍ ଭଡା କରାଯାଏ ।