Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀରେ ବ୍ୟାପିଲାଣି ଝାଡ଼ାବାନ୍ତି, ୨ ଦିନରେ ହସ୍ପିଟାଲରେ ୩୦ ଭର୍ତ୍ତି

14/05/2019 at 4:05 PM

ପୁରୀ ୧୪|୫: ପୁରୀରେ ବ୍ୟାପିଲାଣି ଝାଡ଼ବାନ୍ତି । ୨ ଦିନରେ ହସ୍ପିଟାଲରେ ୩୦ ଭର୍ତ୍ତି । ବାତ୍ୟା ପରେ ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ପାନୀୟ ଜଳ ସମସ୍ୟା ଜଟିଳ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେଣି । ଯାହାକୁ ନେଇ ଏକ ପ୍ରକାର ଆତଙ୍କ ସୃଷ୍ଟି ହେଲାଣି ।

ବାତ୍ୟା ଫୋନି ପରେ ପୁରୀରେ ପରିସ୍ଥିତି ସାଂଘାତିକ ହେବାରେ ଲାଗିଛି । ଜିଲ୍ଲାର ୧୧ଟି ବ୍ଲକରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ନୂଳକୂପରେ କୋଉଠି ଲୁଣିଆ ପାଣି ତ ଆଉ କୋଉଠି ଦୁର୍ଗନ୍ଧଯୁକ୍ତ ପାଣି ବାହାରୁଛି । ଲୋକଙ୍କୁ ଏଯାବତ୍‌ ଶୁଦ୍ଧ ପାନୀୟ ଜଳ ଯୋଗାଇବା ସମ୍ଭବ ହୋଇପାରିନଥିବାରୁ ଦୂଷିତ ଜଳ ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେଣି । ଗଲା ୨ ଦିନରେ ହସ୍ପିଟାଲରେ ଭର୍ତ୍ତି ହେଲେଣି ୩୦ଜଣ । ସେପଟେ ହସ୍ପିଟାଲ ଓ୍ବାର୍ଡ଼ରେ ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କେବଳ ଜିଲ୍ଲା ଯକ୍ଷ୍ମା ଓ ସଂକ୍ରାମକ ଚିକିତ୍ସାଳୟ ନୁହେଁ, ଜିଲ୍ଲାର ବିଭିନ୍ନ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଅନେକ ଝାଡ଼ାବାନ୍ତି ଆକ୍ରନ୍ତ ଚିକିତ୍ସିତ ହେଉଛନ୍ତି । ବର୍ତମାନ ବିଭିନ୍ନ ସ୍ଥାନରେ ରିଲିଫ ବଣ୍ଟା ଚାଲିଛି । କେତେକ ସ୍ଥାନରେ ରନ୍ଧାଖାତ୍ୟ ମଧ୍ୟ ଦିଆଯାଉଛି । ଏହି ଖାଦ୍ୟରେ ଯଦି କୀଟ ପତଙ୍ଗ ପଡ଼ୁଥିବେ ତାହେଲେ ମଧ୍ୟ ବିଭିନ୍ନ ପ୍ରକାର ପେଟ ସମସ୍ୟା ଉପୁଜିବ । ବାତ୍ୟା ପରେ ଉପଯୁକ୍ତ ଖାଦ୍ୟପେୟ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଡାକ୍ତର କହୁଛନ୍ତି । ଖାଦ୍ୟ ଗରମ କରି ଖାଇବା ସହ ପାଣି ଫୁଟାଇ ପିଇବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି ।

ବାତ୍ୟା ପରେ ପୁରୀରେ ଉପଯୁକ୍ତ ଖାଦ୍ୟ ଓ ପାନୀୟ ଜଳ ଯୋଗାଣରେ ସମସ୍ୟା ଯୋଗୁଁ ମହାମାରୀ ବ୍ୟାପିବାରେ ଲାଗିଲାଣି । ଯାହାକୁ ନେଇ ଏକ ପ୍ରକାର ଆତଙ୍କ ସୃଷ୍ଟି ହେଲାଣି ।  

   Related Posts