Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଉ ଏକ ଝଟକା : କରୋନା ଯୋଗୁଁ ଜୁନ୍ ମାସ ପର୍ଯ୍ୟନ୍ତ ପ୍ରାୟ ୩୦ କୋଟି ଲୋକଙ୍କ ଯାଇପାରେ ଚାକିରୀ

30/04/2020 at 5:13 PM

ନୂଆଦିଲ୍ଲୀ ୩୦/୦୪ : ଭୟଙ୍କର ମହାମାରୀ କରୋନା ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରିପକାଇଛି | କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶ ଲକଡାଉନ ରହିଛି | ଦେଶରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | କରୋନା ଲୋକଙ୍କୁ ଘରେ ବନ୍ଦୀ ହୋଇରହିବାକୁ ବାଧ୍ୟ କରିଦେଇଛି | ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ବାରମ୍ବାର ନିର୍ଦେଶ ଦିଆଯାଉଛି | ଲକଡାଉନ ଯୋଗୁଁ ଅନେକ ବ୍ୟବସାୟ ଠପ ହୋଇଯାଇଛି | ଅନେକଙ୍କ ଚାକିରୀ ମଧ୍ୟ ଯାଇଛି | ଯେଉଁମାନଙ୍କ ଚାକିରୀ ଅଛି ସେମାନେ ମଧ୍ୟ ଆଗକୁ ଚାକିରୀ ହରାଇବା ଭୟରେ ଅଛନ୍ତି | କରୋନା ଯୋଗୁଁ ପାଖାପାଖି ୩୦ କୋଟି ଲୋକଙ୍କ ଚାକିରୀ ଯିବା ଆଶଙ୍କା କରାଯାଉଛି |

ସଂଯୁକ୍ତ ରାଷ୍ଟ୍ରର ଶ୍ରମ ବିଭାଗର ଅନ୍ତରାଷ୍ଟ୍ରୀୟ ଶ୍ରମିକ ସଂଗଠନ ଭବିଷ୍ୟତରେ ଲୋକଙ୍କ ଚାକିରୀ ଯାଇପାରେ ବୋଲି ପୂର୍ବାନୁମାନ କରିଛି | ସଂଗଠନ ଅନୁଯାୟୀ, ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅର୍ଥାତ ୩ ମାସ ଭିତରେ ପାଖାପାଖି ୩୦ କୋଟି ଲୋକଙ୍କ ଚାକିରୀ ଯିବାର ସମ୍ଭାବନା ରହିଛି | ଏହା ପୂର୍ବରୁ ସଂଗଠନ ସୂଚନା ଦେଇଥିଲା ଯେ, ଜୁନ ମାସରେ ପ୍ରତି ସପ୍ତାହରେ ୪୮ ଘଣ୍ଟା କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ୧୯ କୋଟି ଲୋକଙ୍କ ଚାକିରୀ ଯିବାର ଯିବାର ସମ୍ଭାବନା ରହିଛି |

ମହାମାରୀ ନିୟନ୍ତ୍ରଣ ପାଇଁ ଅନେକ ଦେଶ ଲକଡାଉନ ଅବଧି ବୃଦ୍ଧି କରୁଛନ୍ତି | ସେଥିପାଇଁ ଚାକିରୀ ବ୍ୟବସ୍ଥାକୁ ନେଇ ସଂଗଠନ ପୁଣି ସଂଶୋଧନ କରିଛି | ସଂଶୋଧନ ଓ ନୂଆ ଅନୁମାନ ଅନୁଯାୟୀ ତିନି ମାସ ମଧ୍ୟରେ ପାଖାପାଖି ୩୦ କୋଟି ଲୋକ ଚାକିରୀ ହରାଇପାରନ୍ତି | କରୋନା ଯୋଗୁଁ ଶ୍ରମିକଙ୍କ ଦୈନନ୍ଦିନ ଜୀବନଯାପନ ଅନେକାଂଶରେ ପ୍ରଭାବିତ ହୋଇଛି | ଶ୍ରମିକମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି | କାରଣ ତାଙ୍କ ପାଖରେ ରୋଜଗାରର ଆଉ କିଛି ପନ୍ଥା ନାହିଁ |

ସଂଗଠନ ଅନୁଯାୟୀ, ଲକଡାଉନ ଯୋଗୁଁ ଭାରତରେ ବେକାରୀ ସମସ୍ୟା ୨୩.୪ ପ୍ରତିଶତ ବୃଦ୍ଧି ପାଇଛି | ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ରିପୋର୍ଟ ଅନୁଯାୟୀ, ଲକଡାଉନ ଯୋଗୁଁ ଭାରତରେ ସହରୀ ବେକାରୀ ହାର ୩୦.୯ ପ୍ରତିଶତ ବଢିପାରେ | ଦେଶର ମୋଟ ବେକାରୀ ୨୩.୪ ପ୍ରତିଶତ ବଢିପାରେ ବୋଲି ଅନୁମାନ କରାଯାଉଛି | ସହରୀ ଅଞ୍ଚଳରେ ବେକାରୀ ହାର ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ୮.୨୧ ପ୍ରତିଶତ ଥିଲା | ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ଏହା ବୃଦ୍ଧି ପାଇ ୩୦.୦୧ ପ୍ରତିଶତ ହୋଇଥିଲା | ଏପ୍ରିଲ ୫ ତାରିଖ ସୁଦ୍ଧା ବେକାରୀ ହାର ୩୦.୯୩ ପ୍ରତିଶତକୁ ବୃଦ୍ଧି ପାଇଛି | ତେବେ ଏହି ମହାମାରୀ ଆଉ କେତେ ଲୋକଙ୍କ ଜୀବନ ଜୀବିକା ଗ୍ରାସ କରିବ ତାହା ଅନୁମାନ କରିବ ମୁସ୍କିଲ |

   Related Posts