ସାନ ଭଉଣୀ ସାମ୍ନାରେ ବଡ ଭଉଣୀକୁ ଟେକିନେବା ପାଇଁ ଉଦ୍ୟମ କରିଥିଲେ ୩ ଯୁବକ : ସାନ ପାଇଁ ବଂଚିଗଲା ବଡର ଜୀବନ

Published By : Prameya-News7 Bureau | April 13, 2019 IST

ମଥୁରା ୧୩/୪ : ୨ ଭଉଣୀ ଅବସର ସମୟ ବିତାଇବା ପାଇଁ ଘରୁ ବାହାରକୁ ବୁଲିବାକୁ ଯାଇଥିଲେ | ଏତିକିବେଳେ ତାଙ୍କ ସହ ଯାହା ଘଟିଥିଲା ଏକ ଘଟଣା | ତେବେ ୨ ଭଉଣୀ ଅଳ୍ପକେ ବର୍ତ୍ତୀ ଯାଇଥିଲେ | ସାନ ଭଉଣୀ ସାମ୍ନାରେ ବଡ ଭଉଣୀକୁ ୩ଜଣ ଯୁବକ ଉଠାଇ ନେବା ପାଇଁ ଉଦ୍ୟମ କରୁଥିଲେ | ଏହା ଦେଖି ସାନ ଭଉଣୀ ପାଟିକରିଥିଲେ | ଯାହାଫଳରେ ଯୁବକମାନେ ଡରିଯାଇ ସେଠାରୁ ପଳାଇଥିଲେ | ଘଟଣା ଉତ୍ତର ପ୍ରଦେଶ ମଥୁରା ଅଂଚଳରେ ଗୁରୁବାର ଦିନ ଘଟିଥିଲା |


ସୂଚନାଯୋଗ୍ୟ ଯେ, ମଥୁରା ଅନ୍ତର୍ଗତ ଯହରଖାନା ଅଂଚଳରେ ରହୁଥିବା ୨ ଭଉଣୀ ଗୁରୁବାର ଦିନ ସକାଳ ୫ଟାରେ ଘରୁ ବାହାରି ମର୍ନିଙ୍ଗ ୱାକ କରୁଥିଲେ | ୨ ଭଉଣୀ ମଜା କରି କରି ଚଳୁଥିଲେ | ଚାଲୁ ଚାଲୁ ବଡ ଭଉଣୀ ଟିକିଏ ଆଗକୁ ଚାଲିଯାଇଥିଲେ ଏବଂ ସାନ ଭଉଣୀ ପଛରେ ରହିଯାଇଥିଲେ | ସେତେବେଳେ ସାନ ଭଉଣୀ ଦେଖିବାକୁ ପାଇଥିଲେ ଯେ ତାଙ୍କ ବଡ ଭଉଣୀଙ୍କୁ କିଛି ଯୁବକ ଟେକି ନେଇଯାଉଛନ୍ତି | ଏହାଦେଖି ସାନ ଭଉଣୀ ଡରିଯାଇ ଚିଲ୍ଲାଇଥିଲେ |

ଶିଶୁର ପାଟି ଶୁଣି ଆଖପାଖରେ ଥିବା ଲୋକେ ଦୌଡ଼ି ଆସିଥିଲେ | ଲୋକେ ଆସି ଶିଶୁକୁ ପଚାରିଥିଲେ ସେ କାହିଁକି ପାଟି କରିଥିଲା | ସେତେବେଳେ ସାନ ଭଉଣୀ କାନ୍ଦି କାନ୍ଦି ଲୋକଙ୍କୁ କହିଥିଲା ଯେ, ତା'ବଡ ଭଉଣୀକୁ କିଛି ଯୁବକ ଟେକି ନେଇଯାଉଛନ୍ତି | ଯେଉଁ ୩ ଜଣ ଯୁବକ ଭଡା ଭଉଣୀକୁ ଟେକି ନେଉଥିଲେ ସେମାନେ ଦୂରରେ ଥାଇ ସମସ୍ତ ଘଟଣା ଦେଖୁଥିଲେ | ଯେତେବେଳେ ସେଠାରେ ଭିଡ ରୁଣ୍ଡ ହୋଇଥିବା ଦେଖିଲେ ସେମାନେ ବଡ ଭଉଣୀକୁ ସେଠାରେ ଛାଡି ଚାଲିଯାଇଥିଲେ | ଲୋକେ ଦୌଡ଼ି ଆସି ଦେଖିଲେ ବଡ ଭଉଣୀ ଚେତାଶୂନ୍ୟ ଅବସ୍ଥାରେ ତଳେ ପଡିଛି | ଲୋକେ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ଏହାପରେ ୨ ଭଉଣୀଙ୍କ ଘରଲୋକଙ୍କୁ ଖବର ଦେଇଥିଲେ | ଖବରପାଇ ସେମାନଙ୍କ ଘରଲୋକ ହସ୍ପିଟାଲରେ ପହଂଚିଥିଲେ |

୬ଘଣ୍ଟା ପରେ ବଡ ଭଉଣୀର ଚେତା ଫେରିଥିଲା | ତେବେ ଯୁବତୀଙ୍କୁ କିଛି ଶୁଙ୍ଘାଇ ଚେତାଶୂନ୍ୟ କରାଯାଇଥିଲା ବୋଲି ଅନୁମାନ କରାଯାଇଛି | ହୋସ ଆସିବା ପରେ ପୋଲିସ ଯୁବତୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା | ୩ ଯୁବକଙ୍କ ମଧ୍ୟରୁ ଜଣେ ଯୁବକକୁ ଯୁବତୀ ଚିହ୍ନିଥିବା ପୋଲିସକୁ କହିଥିଲେ | ଅଭିଯୁକ୍ତ ଯୁବକର ନାଁ ଅଭିଷେକ ବୋଲି ସେ କହିଥିଲେ | ତେବେ ଅଭିଯୁକ୍ତ ବାବଦରେ ଜାଣିବାପରେ ମଧ୍ୟ ପୋଲିସ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା | ଯାହାଫଳରେ ଯୁବତୀଙ୍କ ପରିବାର ଲୋକେ ଉତ୍ତେଜିତ ହୋଇଯାଇଥିଲେ |

ତେବେ ସବୁ ଘଟଣା ଜାଣିବାପରେ ମଧ୍ୟ ପୋଲିସ କାହିଁକି ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ପୋଲିସ କହିବାନୁଯାୟୀ, ଯୁବତୀଙ୍କୁ ଟେକି ନେବା ଘଟଣା ଘଟିନାହିଁ | ଯୁବକ ଏବଂ ଯୁବତୀ ମଧ୍ୟରେ ମାରପିଟ ହୋଇଥିଲା | ସେଥିପାଇଁ ଘଟଣାରେ ଆପୋଷ ବୁଝାମଣା କରିଦେବା ଠିକ ବୋଲି ପୋଲିସ କହିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.