ମଧ୍ୟାହ୍ନ ଭୋଜନର ତରକାରୀ କଡ଼େଇରେ ପଡ଼ି ୩ବର୍ଷ ଶିଶୁର ମୃତ୍ୟୁ : ଇୟରଫୋନରେ ଗୀତ ଶୁଣୁଥିଲେ ପାଚିକା

Published By : Prameya-News7 Bureau | February 04, 2020 IST

ମିର୍ଜାପୁର ୪/୨: ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ସୋମବାର ଦ୍ବିପ୍ରହରରେ ମିଡ-ଡେ-ମିଲ୍ ପାଇଁ ପ୍ରସ୍ତୁତ କରାଯାଇଥିବା ତରକାରୀ କଡ଼େଇରେ ପଡ଼ି ୩ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। ଶିଶୁଟି ଜିଦ୍ କରି ନିଜ ଭାଇଙ୍କ ସହ ସ୍କୁଲକୁ ଯାଇଥିଲା। ଘଟଣାଟି ଘଟିଥିବା ସମୟରେ ପାଚିକା ଇୟରଫୋନ୍ ଲଗାଇ ଗୀତ ଶୁଣୁଥିଲେ। ଶିଶୁଟିକୁ ବାହାରକୁ ବାହାର କରିବା ପରିବର୍ତେ ୬ଜଣ ମହିଳା ପାଚିକା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଡିଏମ୍ ଏହି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରି ଦେଇଛନ୍ତି। ଏହି ଘଟଣା ପାଇଁ ଦାୟୀ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦିଆଯାଇଛି।

ଘଟଣାଟି ଘଟିଛି ଲାଲଗଞ୍ଜ ଥାନା ଅଞ୍ଚଳର ରାମପୁର ଅତରୀ ଗାଁର ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ସୋମବାର ଦ୍ବିପ୍ରହରରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଖାଇବା ବଢ଼ାବଢ଼ି ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ପାଚିକା ଇୟରଫୋନ୍ ଲଗାଇ ଗୀତ ଶୁଣୁଥିଲେ। ଠିକ୍ ସେହି ସମୟରେ ୭ବର୍ଷ ବୟସର ଗଣେଶ ଜୋରରେ ଚିତ୍କାର କରି କହିଥିଲା ଯେ ତାଙ୍କ ଭଉଣୀ ଆଞ୍ଚଲ୍ ତରକାରୀ କଡ଼େଇରେ ପଡ଼ିଯାଇଛି। ପାଟି ଶୁଣି ପିଲାମାନେ ଏବଂ ଶିକ୍ଷକମାନେ ରୋଷେଇ ଘରେ ପହଞ୍ଚିଥିଲେ। ଶିକ୍ଷକମାନେ ଯେକୌଣସିମତେ ଆଞ୍ଚଲକୁ ତରକାରୀ କଡ଼େଇରୁ ବାହାର କରିଥିଲେ ଏବଂ ତାଙ୍କୁ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ।

୮୦ ପ୍ରତିଶତ ଜଳି ଯାଇଥିବା ଶିଶୁକୁ ଡାକ୍ତରମାନେ ଆଞ୍ଚଳିକ ହସ୍ପିଟାଲକୁ ରେଫର କରି ଦେଇଥିଲେ। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଆଞ୍ଚଲ ଆଖି ବୁଜି ଦେଇଥିଲା। ଆଞ୍ଚଲର ବାପା ତା’ର ମୃତ୍ୟୁ ପାଇଁ ବିଦ୍ୟାଳୟ ପ୍ରଶାସନକୁ ଦାୟୀ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.