ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନରେ ଠାବ ହେଲା ବଙ୍କର, ଦେଖନ୍ତୁ ଫଟୋ
25/04/2020 at 4:38 PM

ଶ୍ରୀନଗର, ୨୫|୦୪: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ଯବାନମାନେ ପୁଲଓ୍ୱାମା ଜିଲ୍ଲାରେ ଶନିବାର ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏହାସହ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛି । ଏହି ଗୁଳି ବିନିମୟ ପରେ ହୋଇଥିବା ସର୍ଚ୍ଚ ଅପରେସନରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଚକିତ କରିଛି ।

ଘଟଣାସ୍ଥଳରେ ଆତଙ୍କବାଦୀମାନେ ଲୁଚିବା ପାଇଁ କିଛି ସ୍ଥାନ ଦେଖିବାକୁ ମିଳିଛି । ଯାହା ଗୁମ୍ଫା ପରି ଅଟେ । ପ୍ରାୟ ୧୦ ମିଟର ଅନ୍ତରରେ ମାଟିତଳେ ଏହି ବଙ୍କର ଠାବ ହୋଇଛି । ଏପରିକି ଏହାକୁ ଢାଙ୍କିବା ପାଇଁ ଘୋଡଣୀ ମଧ୍ୟ ମିଳିଛି । ଏହା ମଧ୍ୟରେ ରହିବା ବେଳେ ଯେପରି ଶ୍ୱାସକ୍ରିୟାରେ ଅସୁବିଧା ନହୁଏ ତାହା ପାଇଁ ମଧ୍ୟ ଆତଙ୍କବାଦୀମାନେ ବ୍ୟବସ୍ଥା କରିଛନ୍ତି । ଏହି ସବୁକୁ ଯବାନମାନେ ନଷ୍ଟ କରିଦେଇଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅବନ୍ତିପୁରାରେ ଗୋରୀପୁରା ଅ଼ଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଯବାନମାନେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ୨ଜଣ ଆତଙ୍କବାଦୀ ଓ ଜଣେ ସହଯୋଗୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ପରିଚୟ ମିଳିପାରି ନାହିଁ ।