କଏଦୀ ଫେରାର ଘଟଣାରେ ୩ ପୁଲିସ କର୍ମଚାରୀ ନିଲମ୍ବିତ
5/11/2019 at 10:48 PM

ବାରିବଦା – ଜଣେ କଏଦୀ ଫେରାର ହେବା ଘଟଣାରେ ମୟୁରଭଞ୍ଜଜ ଏସ୍ପି ତିନିଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଏଏସ୍ଆଇ, ଜଣେ କନେଷ୍ଟବଳ ଓ ଜଣେ ଆର୍ମଡ ପୋଲିସ ବଳର ଯବାନ ଅଛନ୍ତି । ଫେରାର ଅଭିଯୁକ୍ତକୁ ବାରୁଣୀ ରୋଡ୍ରୁ ପୁଣି ଗିରଫ କରାଯାଇଛି ।
ହାତରେ ହାତକଡି ଲାଗିଥିବା ସହିତ ଗତକାଲି ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନାରୁ ଜଣେ ଆସାମୀ ଫେରାର ହୋଇଯାଇଥିଲା । ଆସାମୀ ଜଣକ ହେଉଛନ୍ତି ଯଶିପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳର ରବି। ଦୀର୍ଘ ଦିନ ଧରି ବାରିପଦା ସ୍ଥିତ ହୁଡକୋ କଲୋନୀରେ ରହି ଗାଡି ଡ୍ରାଇଭର ଭାବେ କାମ କରିଆସୁଥିଲା।
ସୂଚନା ଅନୁସାରେ ଗତକାଲି ମଦପିଇ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶିବା ସହିତ ତାଙ୍କ ଘରେ ଥିବା ଜନୈକ ମହିଳାଙ୍କ ପ୍ରତି ଅସଦାଚରଣ କରିଥିଲା। ଏ ବାବଦରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ଟାଉନଥାନା ପୋଲିସ। ତେବେ ଗତକାଲି ରାତିରେ ରବି ହାତରେ ହାତକଡା ଲଗାଇ ହାଜତରେ ରଖିବା ପରେ ନିଶ୍ଚିତ ହୋଇ ପଡିଥିଲେ ପୋଲିସ ବାବୁ ମାନେ। ବିଳମ୍ବିତ ରାତିରେ ପୋକିସ ବାବୁ ମାନଙ୍କ ଏଭଳି କୂମ୍ଭକର୍ଣ୍ଣ ନିଦ୍ରାର ସୁଯୋଗ ନେଇ ହାତକଡା ସହ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।