ସଙ୍ଗଠନକୁ ସଜାଡିବାରେ ଲାଗିଛନ୍ତି ତିନି ରାଜନୈତିକ ଦଳ
23/12/2019 at 10:35 PM

ଭୁବନେଶ୍ୱର ୨୩।୧୨ – ସାଧରଣ ନିର୍ବାଚନ ପରେ ସଙ୍ଗଠନକୁ ସଜାଡିବାକୁ ତିନି ଦଳ ଲାଗି ପଡିଛନ୍ତି। ବିଜେପିର ସାଙ୍ଗଠନିକ ନିର୍ବାଚନ ଚାଲୁ ରହିଥିବା ବେଳେ ବିଜେଡି ଡିସେମ୍ବର ୨୭ ତାରିଖରୁ ଆରମ୍ଭ କରିବ ସାଙ୍ଗଠନିକ ନିର୍ବାଚନ । ଏପଟେ କଂଗ୍ରେସ ତାର ସଙ୍ଗଠନ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛି। ସଦସ୍ୟତା ସଂଗ୍ରହରେ ବିଜେଡି କୋଟିଏ ଛୁଇଥିବା ବେଳେ ବିଜେପି ୫୦ଲକ୍ଷ ସଦସ୍ୟ ସଂଗ୍ରହ କରିଛି। ଦୁଇ ଦଳ ବିଜେଡି ଓ ବିଜେପି ତାଙ୍କର ସଦସ୍ୟ ବଢ଼ାଇବା ପାଇଁ ଖୁବ୍ କସରତ କରିଛନ୍ତି…

କୋଟିଏ ରେ ପହଞ୍ଚିଲା ବିଜେଡିର ସଦସ୍ୟ ସଂଖ୍ୟା । ତେବେ ଏଥିପାଇଁ ବିଜେଡିକୁ ଖୁବ ଝାଳ ବୁହାଇବାକୁ ପଡ଼ିଛି । ଏପରିକି ବିଧାୟକମାନଙ୍କୁ ସଦସ୍ୟତା ଟାର୍ଗେଟ ଛୁଇଁବା ଲାଗି ବିଜେଡି ସଭାପତି ଦୁଇଦୁଇ ଥର ସୁଯୋଗ ଦେଇଛନ୍ତି । ଆଧାର କାର୍ଡ ଲିଙ୍କକୁ ବାଧ୍ୟତା ମୂଳକ ନ କରିବାକୁ ମଧ୍ୟ ଦାବି ହେଉଥିଲା । କିନ୍ତୁ ନବୀନ ଏହାକୁ ଶୁଣିନଥିଲେ ବରଂ ବିଧାୟକ ମାନଙ୍କୁ ସଦସ୍ୟତା ସଂଗ୍ରହ କରିବା ପାଇଁ ଆହୁରି ସମୟ ଦେଇଥିଲେ । ଆସନ୍ତା ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ। ଫେବୃଆରୀ ୨୬ ପର୍ଯ୍ୟନ୍ତ ଏହା ଚାଲିବ। ତାପରେ ଛାମୁଆ ସଙ୍ଗଠନର ସଭାପତିମାନଙ୍କୁ ଚୟନ କରିବେ ନବୀନ । ଏପଟେ ସୂର୍ଯ୍ୟପାରଗ ହେଉଥିବାରୁ ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସର ବୈଠକର ସମୟ ପରିବର୍ତ୍ତନ କରାଯାଇଛି। ପୂର୍ବାହ୍ନ ବଦଳରେ ଅପରାହ୍ନ ୪ଟା୩୦ରେ ଦଳୀୟ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି କରିଛି ବିଜେଡି ।

ଏପଟେ ବିଜେପିର ସାଙ୍ଗଠନିକ ନିର୍ବାଚନ ଚାଲୁରହିଛି । ବିଜେପିର ୩୪ ସାଙ୍ଗଠନିକ ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଡିସେମ୍ବର ଶେଷ ସୁଧା ରାଜ୍ୟ ସଭାପତି ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ପରିଷଦ ନିର୍ବାଚନ ଶେଷ ହୋଇଛି । ଏଥିରେ ୧୮୭ ରାଜ୍ୟ ପରିଷଦ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଛି । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ, ପ୍ରତି ସାଙ୍ଗଠନିକ ଜିଲ୍ଲାରୁ ଜଣେ ଲେଖାଏଁ ରାଜ୍ୟ ପରିଷଦକୁ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ପରିଷଦ ସଦସ୍ୟ ହେବା ପରେ ଏମାନେ ରାଜ୍ୟ ସଭାପତି ନିର୍ବାଚନର ଭୋଟ ଦେଇପାରିବେ ।

ଏମାନଙ୍କ ତାଲିକା ଦିଲ୍ଲୀ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ପଠାଯିବ । ଓଡିଶା ଦଳୀୟ ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡିଶା ଆସିବା ପରେ ସଭାପତି ନିର୍ବାଚନ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ନୂଆ ବର୍ଷରେ ଦଳର ନୂଆ ସଭାପତି ହେବେ ବୋଲି ସୂଚନା ଦେଇଛନ୍ତି ସହ ନିର୍ବାଚନ ଅଧିକାରୀ । ଏପଟେ କଳାହାଣ୍ତି ଓ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସଭାପତି ନେଇ କର୍ମୀଙ୍କ ଭିତରେ ସହମତି ହୋଇପାରି ନାହିଁ। ବିଜେପି ଏଥର ୫୦ଲକ୍ଷ ସଦସ୍ୟ ସଂଗ୍ରହ କରି ବଳ ବଢ଼ାଇଛି ବୋଲି ଦାବି କରିଛି।

କଂଗ୍ରେସ ମଧ୍ୟ ତାର ସଙ୍ଗଠନ ସଜାଡିବାକୁ ପ୍ରୟାସ ଚଳାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହାଇକମାଣ୍ଡ ପୁନର୍ବାର ଆସ୍ଥା ସ୍ଥାପନ କରିବା ପରେ ଜିଲ୍ଲା ସଭାପତି ଓ ବ୍ଲକ ସଭାପତି ଚୟନ କରି ସେମାନଙ୍କ ତାଲିକା ଏଆଇସିସିକୁ ପଠାଇଛନ୍ତି । ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ କମିଟି ଗଠନ ହେବା ସହ। ଛାମୁଆ ସଙ୍ଗଠନର ସଭାପତି ଚୟନ ପାଇଁ ଏଥର ପୂର୍ବତନ ସଭାପତି ଓ ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଆଧାରରେ ସଭାପତି ଚୟନ ହେବ। ଆସନ୍ତା ଜାନୁୟାରୀ ୮ ତାରିଖରେ ପିସିସି ସଭାପତି ବରିଷ୍ଠ ନେତାଙ୍କ ବୈଠକ ଡାକିଛନ୍ତି।

ସଂଙ୍ଗଠନ ମଜବୁତ କରିବା ତିନି ଦଳ ଲାଗିପଡିଥିବାବେଳେ ସଦସ୍ୟତା ସଂଗ୍ରହକୁ ନେଇ କଡା ଟକ୍କର ଦେଖିବାକୁ ମିଳିଥିଲା। ଏଥର ବିଜେଡି ସଦସ୍ୟତା ସଂଗ୍ରହରେ ବିଜେପି ପଛରେ ପକାଇଦେଇଛି।